
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନ ହାତୀ ସଫାରୀରେ ରହୁଥିବା ସବୁଠୁ ବୟସ୍କ ମାଈ ହାତୀ ବାସନ୍ତୀ ପୁଣି ଅସୁସ୍ଥ ହୋଇପଡ଼ିଛି। ସେ ଠିକ୍ଭାବେ ଖିଆପିଆ କରୁନାହିଁ। ବୟସାଧିକ ଓ ବଦହଜମିର ଶିକାର ହୋଇ ଗୋଟିଏ ସ୍ଥାନରେ ପଡ଼ିରହୁଛି। ଦୁଇଦିନ ହେବ ପେଟଜନିତ ସମସ୍ୟା ଭୋଗୁଛି । କିଛିଦିନ ହେବ ନନ୍ଦନକାନନର ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ବାସନ୍ତୀ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ ବୋଲି ଜନ୍ତୁ ବିଭାଗର ଜଣେ ଅଧିକାରୀ କହିଛନ୍ତି। ମଙ୍ଗଳବାର ଦିନ ଟେକ୍ନିକାଲ କମିଟିର ସ୍ବାସ୍ଥ୍ୟ ବିଶେଷଜ୍ଞ ଦଳ ପ୍ରାଣୀଉଦ୍ୟାନରେ ପହଞ୍ଚି ଅସୁସ୍ଥ ବାସନ୍ତୀର ସ୍ବାସ୍ଥ୍ୟ ଯାଞ୍ଚ କରି ସାଲାଇନ୍ ଓ ଇଞ୍ଜେକସନ ଦେଇ ଚିକିତ୍ସା ଜାରି ରଖିଛନ୍ତି
ବାସନ୍ତୀକୁ ୧୯୮୫ରେ ୨୧ବର୍ଷ ବୟସ ହୋଇଥିବାବେଳେ ମାଡ୍ରାସର ଭନ୍ଦାଲୁରରୁ ନନ୍ଦନକାନନକୁ ଅଣାଯାଇଥିଲା। ତାକୁ ଏବେ ୬୧ ବର୍ଷ। ନନ୍ଦନକାନନରେ ବର୍ତ୍ତମାନ ୪ଟି ହାତୀ ଅଛନ୍ତି। ବାସନ୍ତୀ ବ୍ୟତୀତ ହୀରା ଓ ଛୁଆ ହାତୀ ଆଶା,ଲିସା। ବାସନ୍ତୀ ଗର୍ଭରୁ ୧୯୮୭ ଡିସେମ୍ବର ୨୮ରେ ନନ୍ଦ ହାତୀ ଜନ୍ମଗ୍ରହଣ କରିଥିଲା। ଚନ୍ଦକାରେ ନନ୍ଦର ମୃତ୍ୟୁ ଘଟିସାରିଛି।








