
ଭୁବନେଶ୍ୱର: ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସ୍ପଷ୍ଟୀକରଣ। ଏଣିକି ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ କିଣିପାରିବେ ୫ କେଜି ଗ୍ୟାସ୍ ସିଲିଣ୍ଡର। ପରିଚୟପତ୍ର ଦେଖାଇ ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ କିଣିପାରିବେ। ଗ୍ୟାସ ବିକ୍ରି ନେଇ ଇ-କେୱାଇସି କରାଯିବ । ଇ-କେୱାଇସି ହୋଇଥିଲେ ପରିଚୟପତ୍ର ଦେଖାଇ କିଣିପାରିବେ।
ସୂଚନା ଅନୁଯାୟୀ, ରବିବାର ଖୋଲା ବଜାରରେ ୫ କେଜି ବିଶିଷ୍ଟ ଗ୍ୟାସ ଟାଙ୍କି ବିକ୍ରି ଉପରେ ଲାଗିଥିଲା ରୋକ୍। ଯଦି କେହି ବିକ୍ରି କରୁଥିବା ବେଳେ ଧରାପଡ଼ିବେ, ତାଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ । ଗ୍ୟାସ ବିକ୍ରି ନେଇ ଇ-କେୱାଇସି କରାଯିବ । କେବଳ ଯାହା ନାଁରେ କାର୍ଡ ଥିବ, ଗ୍ୟାସ ଏଜେନ୍ସିରୁ ସେମାନେ ହିଁ ଗ୍ୟାସ ଟାଙ୍କି ନେଇପାରିବେ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ। ଅପରପକ୍ଷେ ରାଜ୍ୟରେ ୫ କେଜି ବିଶିଷ୍ଟ ରନ୍ଧନ ଗ୍ୟାସ ଟାଙ୍କି ବିକ୍ରି ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ କଂଗ୍ରେସ ଓ ବିଜେଡି ନେତା । ହଠାତ୍ ଏଭଳି ଆଇନ କରିବା ଦ୍ୱାରା ବିଭିନ୍ନ ସହରରେ ରହି ପଢ଼ୁଥିବା ଛାତ୍ରଛାତ୍ରୀ ଓ ବଡ଼ ଟାଙ୍କି କିଣିବାକୁ ଅକ୍ଷମ ପରିବାରମାନେ ଅସୁବିଧାରେ ପଡ଼ିବେ ବୋଲି ଦୁଇ ଦଳ ନେତାମାନେ କହିଛନ୍ତି । ବିଜେଡି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ଯୋଗାଣ ମନ୍ତ୍ରୀଙ୍କ ଟିପ୍ପଣୀ ଦୁର୍ଭାଗ୍ୟଜନକ ।ପାଠପଢ଼ୁଆ ପିଲା ଏବେ କେଉଁଠୁ ଗ୍ୟାସ ଆଣିବ ? ଛୋଟ ପରିବାର କେମିତି ଚଳିବ ? ସରକାର ଲୋକଙ୍କୁ ଗ୍ୟାସ ଦେଇ ପାରୁନାହାନ୍ତି । ହୋଟେଲ ବନ୍ଦ ହେଲାଣି । ଏବେ ପୁଣି ୫ଲିଟିରିଆ ଗ୍ୟାସ ବିକ୍ରି ବନ୍ଦ ହେବା ଦ୍ୱାରା କଳାବଜାରୀ ବଢିବ । ଏହାର ପୁନଃବିଚାର ପାଇଁ ମୁଁ ଅନୁରୋଧ କରୁଛି ବୋଲି ବିଧାୟକ ଶ୍ରୀ ଜେନା କହିଥିଲେ।




