
ଦେବଗଡ଼:ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଦେବଗଡ କଲେଜସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆଜି ପିତୃମାତୃହୀନ ପିଲାମାନଙ୍କ ବହୁବୃତ୍ତି ଓ ବୈଷୟିକ ଶିକ୍ଷା ଅନୁଷ୍ଠାନ ଗୁଡିକରେ ନାମ ଲେଖା ପାଇଁ ଜିଲ୍ଲାସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗ୍ରାମରୁ ପିତୃମାତୃହୀନ ଓ ଏକକ ଅଭିଭାବକ ଥିବା ତଥା ଚଳିତ ବର୍ଷ ମାଟ୍ରିକ ଓ +୨ ପାସ କରିଥିବା ୨୫୦ ଜଣ ପିଲା ନିଜ ଅବିଭାବକଙ୍କ ସହ ଏହି ପରାମର୍ଶ ଶିବିରରେ ଯୋଗ ଦେଇଥିଲେ। ଶିବିରରେ ଡିଏସପି ଅମୂଲ୍ୟ ପୁନମ ଲାକ୍ରା ମୁଖ୍ୟଅତିଥି,ଶିଶୁ ମଙ୍ଗଳ ସମିତି ସଦସ୍ୟ କୁମୁଦ ଚନ୍ଦ୍ର ଶତପଥି ଓ କିଶୋର ନ୍ୟାୟ ବୋର୍ଡ ସଦସ୍ୟା ପ୍ରବୀଣା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ବହୁବୃତ୍ତି ଓ ବୈଷୟିକ ଶିକ୍ଷା ଗ୍ରହଣ କରି ଉପାର୍ଜନକ୍ଷମ ହେବାକୁ ପରାମର୍ଶ ଦେଇ ଥିଲେ।ବିଭିନ୍ନ ବହୁବୃତ୍ତି ଓ ବୈଷୟିକ ଶିକ୍ଷା ଅନୁଷ୍ଠାନ ଯଥା ଷ୍ଟେଟ ଇନଷ୍ଟିଟିଉଟ ଫୋର ହୋଟେଲ ମ୍ୟାନେଜମେଣ୍ଟର ଯୁଧିଷ୍ଟିର ନାୟକ ଓ ଅଭିଜିତ ଚିରାଗ ,ୱାର୍ଲ୍ଡ ସ୍କିଲ ସେଣ୍ଟର ଭୁବନେଶ୍ବରର ଚିନ୍ମୟ ମିଶ୍ର,ସରକାରୀ ପଲିଟେକନିକର ଅଧ୍ୟକ୍ଷ ବିକେ ଘଣ୍ଟାୟତ,ସ୍କିଲ ଇଣ୍ଡିଆର ସୁକାନ୍ତ ପ୍ରଧାନ,ସରକାରୀ ଆଇଟିଆଇରୁ ଲୀନା ସାହୁ ଓ ଉପେନ୍ଦ୍ର ବାରିକ, ଅପ୍ରାଇଜ ବୈଷୟିକ ଅନୁଷ୍ଠାନରୁ ସମ୍ପାଦକ ଶରତ ବେହେରା ,ଏଏନଏମ ଟ୍ରେନିଂ ସେଣ୍ଟର ସନ୍ଧ୍ୟାରାଣୀ ପଣ୍ଡା ପ୍ରମୁଖ ଏହି ଶିବିରରେ ଯୋଗ ଦେଇ +୨ ଓ ମ୍ୟାଟ୍ରିକ ପାସ କରିଥିବା ପିଲାମାନଙ୍କ ଯୋଗ୍ୟତାକୁ ମୂଲ୍ୟାଙ୍କନ କରି ନିଜ ନିଜ ଅନୁଷ୍ଠାନରେ ବହୁବୃତ୍ତି ଓ ବୈଷୟିକ ଶିକ୍ଷା ପାଇଁ ନାମ ଲେଖାଇଥିଲେ।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ୨୪ ଜଣ ପିତୃମାତୃ ହୀନ ଶିଶୁଙ୍କୁ ଗ୍ରୀନ ପ୍ୟାସଜ ସାର୍ଟିଫିକେଟ ପ୍ରଦାନ କରଯାଇଥିଲା।ଏହି ସାର୍ଟିଫିକେଟ ବଳରେ ପିଲାମାନେ ରାଜ୍ୟର ଯେ କୌଣସି ସରକାରୀ ଅନୁଷ୍ଠାନରେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଇ ପାରିବେ।ଏହି ଶିବିରରେ ଷ୍ଟେଟ ଇନଷ୍ଟିଟିଉଟ ଫୋର ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏ ଫି ଛାଡ କରି ୧୨ ଜଣ ପିତୃମାତୃହୀନ ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ନାମ ଲେଖାଯାଇଥିଲା। ସେହିପରି ଆପ୍ରାଇଜ ଅନୁଷ୍ଠାନ ପକ୍ଷରୁ ୧୬ ଜଣଙ୍କୁ ମାଗଣାରେ ଏଏନଏମ ,ଜିଏନଏମ ଓ ନର୍ସିଙ୍ଗ ପାଇଁ ନାମ ଲେଖାଯାଇଥିଲା।ଉକ୍ତ ବୈଷୟିକ ଶିକ୍ଷା ଅନୁଷ୍ଠାନ ଗୁଡିକରେ ନାମ ଲେଖାଇଥିବା ୨୫୦ ଜଣ ପିଲାଙ୍କୁ ବିଭାଗ ପକ୍ଷରୁ ଆଶୀର୍ବାଦ ଯୋଜନା ,ମିସନ ବାତ୍ସଲ୍ୟ,ଯଶୋଦା ଯୋଜନାରୁ ପାଠ ପଢିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଶିବିର ପରିଚାଳନାରେ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁ, ବିଭାଗୀୟ କର୍ମଚାରୀ କ୍ରାନ୍ତି ମଞ୍ଜରୀ ଧାଉଁଳିଆ,ଦେବରଞ୍ଜନ ପ୍ରଧାନ,ଲିପନ ବଣିଚୂଳ ,ଗଗନ ବିଶ୍ଵାଳ , ଅଜିତ ନାୟକ,ଦେପକ ପାତ୍ର ସହଯୋଗ କରିଥିଲେ।


