
ଚିକିଟି: ବିଧାୟକ ଓ କାଉନସିଲର୍ ବିବାଦରେ ଟଣା ହେଇ ଆସିଲେ ମହାପ୍ରଭୁ। ସଭା ମଝିରେ, ଟେବୁଲ ଉପରକୁ ଅଣାହେଲା ବିଗ୍ରହ। ଏଭଳି କିଛି ଘଟଣାର ଭିଡିଓ ଏବେ ଗଞ୍ଜାମ ରାଜନୀତିକୁ ସରଗରମ କରିଛି। ଚିକିଟିରେ ଭତ୍ତା ବଣ୍ଟନ ବେଳେ ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ଓ ବିଜେଡି କାଉନସିଲର୍ ବିଶ୍ବଜିତ୍ ମହାପାତ୍ର ମୁହାଁମୁହିଁ ହୋଇଛନ୍ତି।
ଚିକିଟି ଏନଏସି ବିଜେଡି ପାଖରେ ଥିବା ବେଳେ ବିଧାୟକ ବିଜେପିର। ଭତ୍ତା ବଣ୍ଟନରେ ବିଜେପି ପାନ୍ତରଅନ୍ତର କରିଥିବା ବିଜେଡି ଅଭିଯୋଗ କରିଥିଲା। ବିନା କୌଣସି ପୂର୍ବ ସୂଚନା, କିମ୍ବା ଚିକିଟି ଏନଏସି କାଉନସିଲର ଓ ଅଧ୍ୟକ୍ଷଙ୍କୁ ବିନା ଅବଗତିରେ ଭତ୍ତା ବଣ୍ଟାକୁ ନେଇ ଆପତ୍ତି ଉଠାଇଥିଲେ। ଏମିତିକି ବିଧାୟକ ଭତ୍ତା ବଣ୍ଟନ କରିପାରିବେନି ବୋଲି ଜିଦ୍ କରିଥିଲେ ବିଜେଡି କାଉନସିଲର୍।
ହେଲେ ଏସବୁ ଭିତରେ ମହାପ୍ରଭୁଙ୍କୁ ଛୁଇଁ ଶପଥ କରିବା ଯାଏଁ ସ୍ଥିତି ଯାଇଥିଲା। ବିଜେଡି କାଉନସିଲର୍ ମହାପ୍ରଭୁଙ୍କ ବିଗ୍ରହକୁ ଟେବୁଲ ଉପରକୁ ଉଠାଇ ଆଣିଥିଲେ। ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ। ଅନେକ ହିତାଧିକାରୀଙ୍କୁ ଭତ୍ତା ମିଳିନଥିଲା। ତେଣୁ ସେମାନଙ୍କ ହକ୍ ଦେବାକୁ ସବୁ ବ୍ୟବସ୍ଥା ହେଇଥିବା ସେ କହିଛନ୍ତି।




