
କଟକ: ଦୁଇବର୍ଷରୁ ଅଧିକ ସମୟ ଧରି ପୋଲିସ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଠ ଆଇପିଏସ ଅଫିସର ଓ୍ୱାଇବି ଖୁରାନିଆ ଆଜି କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ୩୬ ବର୍ଷର ଆଇପିଏସ୍ କ୍ୟାରିୟର ପରେ ରାଜ୍ୟ ପୋଲିସ ମୁଖିଆ ପଦବୀରୁ ଅବସର ନେଇଛନ୍ତି ଡିଜିପି ଯୋଗେଶ ବାହାଦୁର ଖୁରାନିଆ ।
ଏପଟେ ରାଜ୍ୟ ପୋଲିସର ନୂଆ କାର୍ଯ୍ୟକାରୀ ଡିଜିପି ଭାବେ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିନୟତୋଷ ମିଶ୍ର । କାର୍ଯ୍ୟଭାର ସମ୍ଭାଳିବା ପରେ ରାଜ୍ୟ ସରକାରଙ୍କୁ ତାଙ୍କୁ ପ୍ରତି ବିଶ୍ୱାସ ପାଇଁ ଧନ୍ୟବାଦ ଜଣାଇବା ସହ ନିଜର ଆଗାମୀ କାର୍ଯ୍ୟପନ୍ଥା ଓ ପ୍ରାଥମିକତା ସମ୍ପର୍କରେ ସେ ବସ୍ତୃତ ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ, ଏହା ତାଙ୍କ ପାଇଁ କୌଣସି ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ବରଂ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ସମଗ୍ର ପୋଲିସ ଟିମ୍କୁ ସାଙ୍ଗରେ ନେଇ ଜନସାଧାରଣଙ୍କ ଆଶା ପୂରଣ କରିବାକୁ ସେ ନିରନ୍ତର ଚେଷ୍ଟା କରିବେ । ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ମୁଖ୍ୟତଃ ନାରୀ ସୁରକ୍ଷା, ନିଶାମୁକ୍ତ ଓଡ଼ିଶା, ସଂଘଠିତ ଅପରାଧ ଦମନ ଓ ସାଇବର ଅପରାଧ ନିୟନ୍ତ୍ରଣଭଳି ୪ଟି ବିନ୍ଦୁ ଉପରେ କାର୍ଯ୍ୟ କରିବ । ଏହାସହ ରାଜ୍ୟରେ ମାଓବାଦୀ ସମସ୍ୟା କ୍ରମଶଃ ହ୍ରାସ ପାଇଥିଲେ ବି ଏହାକୁ ସମ୍ପୂର୍ଣ୍ଣ ଶେଷ କରି ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରାଯିବା ସହ ପାର୍ବଣ ସୁରକ୍ଷା ଓ ବନ୍ୟା ସହାୟତା ଉପରେ ଗୁରୁତ୍ୱ ଦିଆଯିବ ବୋଲି କାର୍ଯ୍ୟକାରୀ ଡିଜି କହିଛନ୍ତି ।
ତେବେ ବିନୟତୋଷଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ବିଦାୟୀ ଡିଜିପି ଓ୍ୱାଇ ବି ଖୁରାନିଆ । ୧୯୯୩ ବ୍ୟାଚ୍ର ବରିଷ୍ଠ IPS ବିନୟତୋଷ ମିଶ୍ର । ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ନୂଆ ପୋଲିସ ଡିଜି ଚୟନ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ । ପୂର୍ବରୁ କ୍ରାଇମବ୍ରାଞ୍ଚର ଡିଜି ଭାବେ ଦାୟିତ୍ବ ତୁଲାଉଥିଲେ ।




