
ଭୁବନେଶ୍ବର : ଅଶାନ୍ତ ସୁବର୍ଣ୍ଣରେଖା । ବିପଦ ସଂକେତର ବହୁ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । ଦାଣ୍ଡ ଦୁଆରେ ନଦୀର ପ୍ରଖର ସୁଅରେ ଭାସୁଛି ବାଉଁଶଖଣା ଗାଁର ଘରଦ୍ୱାର । ଭୋଗରାଇ ବ୍ଳକର ଏବେ ୨୦ ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛି । ନଦୀ କୁଳିଆ ପଂଚାୟତ କୁମ୍ଭୀରଗଡି ଓ ଆରୁହାବର୍ତ୍ତୀରେ ପାଣି ବଢୁଥିବା ବେଳେ ତଳିଆ ପଂଚାୟତ ଗବ ଗାଁ, କୁସୁଡା, ଖରିଦ ପିପଳ, ଚିରକୁଳା, ନାଛିଣ୍ଡା ଇତ୍ୟାଦି ଅଂଚଳରେ ପାଣି ଆହୁଲା ମାରୁଛି । ଘର ଭିତରେ ଜମି ରହିଛି ବନ୍ୟା ପାଣି । ଦାଣ୍ଡ ଦୁଆରେ ପ୍ରଖର ସୁଅରେ ପାଣି ଚାଲୁଥିବାରୁ ଘରୁ ବାହାରି ପାରୁନାହାନ୍ତି ଲୋକେ ।
ଏପଟେ ଉଛୁଳୁଛି ଓ ଜଳକା । ବୁଢ଼ାବଳଙ୍ଗ ବି ଫୁଲିଛି । ଯାହା ପୁଣି ଥରେ ନଦୀକୂଳିଆଙ୍କ ନିଦ ହଜାଇଛି । ସୁବର୍ଣ୍ଣରେଖାର ଦ୍ୱିତୀୟ ବନ୍ୟାରେ ଉତ୍ତର ବାଲେଶ୍ୱର ଉବୁଟୁବୁ ହେଉଛି । ଭୋଗରାଇ, ବାଲିଆପାଳ,ଜଳେଶ୍ୱର ବ୍ଲକ୍ ବେଶି ପ୍ରଭାବିତ ହୋଇଛି । ଜିଲ୍ଲାର ୧୨୩ ଗାଁ ଏବେ ବି ଜଳବନ୍ଦୀ ରହିଛି । ଲୋକେ କଲବଲ ହେଉଛନ୍ତି । ଲଘୁଚାପ ଯୋଗୁ ଝାଡ଼ଖଣ୍ଡ ମାଳାଞ୍ଚଳରେ ପ୍ରବଳ ବର୍ଷା ହୋଇଛି ।
ଅପରପକ୍ଷରେ ଜଳକା ମଧ୍ୟ ବିପଦ ସଙ୍କେତ ଊଦ୍ଧ୍ୱର୍ରେ ଅଛି । ବୁଢ଼ାବଳଙ୍ଗ ବିପଦ ସଙ୍କେତ ନିମ୍ନରେ ଥିଲେ ହେଁ ନଦୀକୂଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ରହିଛି । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକାର ବିପଦସଙ୍କେତ ଯଥାକ୍ରମେ ୧୦.୩୬ମି, ୮.୧୩ ମି, ୬.୫୦ ମିଟର ଥିବାବେଳେ ସନ୍ଧ୍ୟା ସୁଦ୍ଧା ଏହି ତିନି ନଦୀର ଜଳସ୍ତର ୧୧.୩୦ମି, ୬.୮୦ମି, ୬.୫୨ ମିଟର ରହିଛି । ସୁବର୍ଣ୍ଣରେଖାରେ ବନ୍ୟା ବିଭୀଷିକା ଆହୁରି ଦିନେ କିମ୍ବା ଦୁଇଦିନ ଲାଗି ରହିବ । ଉତ୍ତର ବାଲେଶ୍ୱରବାସୀଙ୍କ ଅବସ୍ଥା ଆହୁରି ଶୋଚନୀୟ ହେବ । ଏଭଳି ସମୟରେ ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ ରହିବା ସହସରକାରୀ ପରାମର୍ଶ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।




