
କଟକ: ଭସାଣି ଶୋଭାଯାତ୍ରା ବେଳେ କଟକରେ ଗୋଷ୍ଠୀ ସଂଘର୍ଷ । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ କଟକରେ ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଦରଘାବଜାର ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିବା ବେଳେ ଢେଲା, ପଥର ଓ କାଚ ବୋତଲ ମାଡ଼ରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଏଥିରେ ଡିସିପି ଋଷିକେଷ ଖିଲାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠିମାଡ କରାଯାଇଥିବା ବେଳେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି ।ପୋଲିସ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ସମୟରେ ଝାଞ୍ଜିରମଙ୍ଗଳା ଭାଗବତ ପୂଜା କମିଟିର ପ୍ରତିମା ଶୋଭାଯାତ୍ରl କରି ବିସର୍ଜନ ପାଇଁ ଦେବୀଗଡା ଅଭିମୁଖେ ଯାଉଥିଲା । ଶୋଭାଯାତ୍ରାରେ ବାଜୁଥିବା ଗୀତକୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ, ଏହାପରେ ଦରଘାବଜାର ଜେଲ ରୋଡ଼ର ଏକ ନିର୍ଦ୍ଦିଷ୍ଟ ଦିଗରୁ ହଠାତ୍ ଢେଲା ମାଡ଼ ହୋଇଥିଲା ।ଏହାପରେ ଉଭୟ ଗୋଷ୍ଠୀ ଢ଼େଲା ମାଡ କରିଥିଲେ, ଏଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ସେଠାରେ ଥିବା ଯାନ ବାହାନ ମଧ୍ୟ ଭାଙ୍ଗି ଯାଇଥିଲା । ଏହାପରେ ପରିସ୍ଥିତି କିଛି ସମୟ ପାଇଁ ଶାନ୍ତ ପଡିବା ପରେ ଝାଞ୍ଜିରମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ପଛରେ ଥିବା ରାଉସାପାଟଣା ମେଢ ଆସିବା ସମୟରେ ପୁଣି ଢ଼େଲା ପଥର ମାଡ଼ ହୋଇଥିଲା । ସେପଟେ ଏଭଳି ଘଟଣା ପ୍ରତିବାଦରେ ଶୋଭାଯାତ୍ରାକାରୀମାନେ ରାସ୍ତା ଉପରେ ଧାରଣାରେ ବସିବା ସହ ସମସ୍ତ ମେଢ଼ଗୁଡିକ ଶୋଭାଯାତ୍ରା ବନ୍ଦ କରିଦେଇଥିଲେ । ଫଳରେ ରାତି ସାଢେ ୨ଟା ପରେ ଏହି ରାସ୍ତାରେ ଭସାଣି ଶୋଭାଯାତ୍ରା ବନ୍ଦ ହୋଇଥିଲା । ରାସ୍ତାରେ ପାଖାପାଖି ୫୦ରୁ ଉର୍ଦ୍ଧ୍ବ ପ୍ରତିମା ଅଟକି ରହିଥିଲା ।ପରିସ୍ଥିତିକୁ ନିୟନ୍ତ୍ରଣକୁ କରିବା ପାଇଁ ଘଟଣା ସ୍ଥଳରେ କଟକ ଡିସିପି ଋଷିକେଷ ଖିଲାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ଦୁର୍ବୃତ୍ତଙ୍କ ଢ଼େଲା ମାଡ଼ରେ ସେ ମଧ୍ୟ ଆହତ ହୋଇଛନ୍ତି । ଡିସିପିଙ୍କ ଆଖି ପତା ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେପଟେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠିମାଡ କରାଯାଇଥିବା ବେଳେ ଘଟଣା ସ୍ଥଳରେ ରାପିଡ ଆକ୍ସନ ଫୋର୍ସ(RAF) ଓ ସିଆରପିଏଫ (CRPF) ଫୋର୍ସ ମୁତୟନ କରାଯାଇଛି l




