
ନୂଆଦିଲ୍ଲୀ: ସୋମବାର ବିଳମ୍ବିତ ରାତିରେ କେରଲର ଅଲପ୍ପୁଝା ସ୍ଥିତ କଲାରକୋଡ୍ରେ ଏକ କାର୍ ଓ ଯାତ୍ରୀବାହୀ ବସ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିରେ କାର୍ରେ ଥିବା ୫ ଜଣ ଏମ୍ବିବିଏସ୍ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଛାତ୍ର ଗୁରୁତର ରୂପେ ଆହତ ହୋଇଛନ୍ତି।ସୂଚନା ମୁତାବକ, ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା ସେହି ସମୟରେ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ଜାରି ରହିଥିଲା। ଏହି ସମୟରେ ବସ୍ଟି ଦ୍ରୁତ ଗତିରେ ଆସି କାର୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୃତକଙ୍କୁ ବାହାର କରିବା ପାଇଁ କାର୍କୁ କଟର୍ରେ କାଟିବାକୁ ପଡ଼ିଛି। ମୃତକ ଅଲାପ୍ପୁଝାର ଟିଡି ମେଡିକାଲ କଲେଜର ଛାତ୍ର ଥିଲେ। ଏମାନେ ଏମ୍ବିବିଏସ୍ ପ୍ରଥମ ବର୍ଷରେ ପାଠ ପଢ଼ୁଥିଲେ।ଏହି ଦୁର୍ଘଟଣାରେ ବସ୍ରେ ଥିବା କିଛି ଯାତ୍ରୀମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସେପଟେ ଗୁରୁତର ଥିବା ଦୁଇ ଜଣ ଛାତ୍ରଙ୍କୁ ବନ୍ଦନମ୍ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।