ମନରେଗା କୌଣସି କଂଗ୍ରେସ ନେତାଙ୍କ ନାମରେ ନଥିଲା

ଭୁବନେଶ୍ବର: ଓଡିଶାର ପୂର୍ବତନ ମନ୍ତ୍ରୀ, ସାଂସଦ, ବିରୋଧୀ ଦଳ ନେତା ତଥା ବର୍ତ୍ତମାନର କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ପିତା ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ରାୟଗଡାସ୍ଥିତ ଓଏମପି ଛକରେ ଉନ୍ମୋଚନ କାର‌୍ୟ୍ୟକ୍ରମ ଓ ତାଙ୍କ ସ୍ମୃତିରେ ଆୟୋଜିତ ପ୍ରାର୍ଥନା ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ ଲାଲ୍ଲୁ, ସିଏଲପି ନେତା ରାମଚନ୍ଦ୍ର କାଡାମ ଏବଂ କଂଗ୍ରେସ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।
ଏହି ପ୍ରାର୍ଥନା ସଭାକୁ ସମ୍ବୋଧିତ କରି ପିସିସି ସଭାପତି ଶ୍ରୀ ଦାସ କହିଲେ, ବର୍ତ୍ତମାନ ଦେଶ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ସରକାର ଗଣତନ୍ତ୍ର ଓ ସମ୍ବିଧାନର ଖୋଲାଖୋଲି ହତ୍ୟା କରୁଛନ୍ତି। ଯେଉଁ ମହାତ୍ମା ଗାନ୍ଧୀ ଦେଶର ପ୍ରତ୍ୟେକ ହୃଦୟ ଏବଂ କୋଣ ଅନୁକୋଣରେ ଅଛନ୍ତି, ଯେଉଁ ମହାତ୍ମା ଇଂରେଜ ଶାସକଙ୍କ ଗୁଳି ଗୋଳା ଓ ଅତ୍ୟାଚାରର ଡରକୁ ଦେଶବାସୀଙ୍କ ମନରୁ କାଢି ଫିଙ୍ଗି ଦେଇଥିଲେ। କର ବା ମର ମାଧ୍ୟମରେ ଭାରକୁ ସ୍ୱାଧୀନ କରିଥିଲେ, ସେଇ ମହାତ୍ମାଙ୍କ ନାମକୁ ସରକାର ଲିଭାଇ ଦେବାକୁ ଚାହୁଁଛନ୍ତି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦେଶରେ ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉଦ୍ୟମରେ ପୃଥିବୀ ବିଖ୍ୟାତ ମହାତ୍ମା ଗାନ୍ଧୀ ନରେଗା ଯୋଜନା ସାମୁହିକ ବିକାଶ ଲକ୍ଷକୁ ନେଇ ଆରମ୍ଭ ହୋଇଥିଲା। ଗରିବଙ୍କ ପାଖକୁ ଟଙ୍କା ଆସୁ ନଥିଲା। ଯୋଜନା ମାଧ୍ୟମରେ ଗରିବଙ୍କ ପାଖକୁ ଟଙ୍କା ଏବଂ କାମ ଆସିଲା। ଦେଶର ସମସ୍ତ ଗରିବ ଶ୍ରେଣୀ ଉପକୃତ ହେଲେ ଓ ଅନାହାର ବ୍ୟାଧି ହଟିଲା। ଏହି ଯୋଜନା କୌଣସି କଂଗ୍ରେସ ନେତା ବା ମନ୍ତ୍ରୀଙ୍କ ନାମରେ ନାମିତ ନଥିଲା ବରଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମରେ ଦିଆ ଯାଇଥିଲା। କିନ୍ତୁ ମେସିନ ଓ ଭୋଟ ଚୋର ସରକାର ଆଜି ଏହି ଯୋଜନାରୁ ଦେଶର ପିତା ମହାତ୍ମାଙ୍କ ନାମ ବଦଳାଇ ଦେବାର ଦୁଃସାହସ କରିଛି। ବାବା ସାହେବଙ୍କ ସମ୍ବିଧାନକୁ ପରିବର୍ତ୍ତନ କରୁଛି।
ଆମକୁ ଲଜ୍ଜ୍ୟା ଲାଗିବା କଥା, ସରକାରଙ୍କ ଏସବୁ ଧୃଷ୍ଟତା ସତ୍ୱେ ଆମେ ଚୁପ ରହୁଛୁ, ନ ଜାଣିଲା ଭଳିଆ ଶୋଇ ପଡୁଛୁ। ଯଦି ଆମେ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ସାମାଜିକ ନ୍ୟାୟ ଆଦର୍ଶରେ ଆମେ ଅନୁପ୍ରାଣିତ, ବାସ୍ତବିକ ଦାୟାଦ ତେବେ ଗଣତନ୍ତ୍ର ବିରୋଧୀ ସରକାରଙ୍କୁ ଉଚିତ ଜବାବ ହେବ ସ୍ବର୍ଗତ ଉଲାକାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।
ସଭାର ଅନ୍ୟତମ ଅତିଥି ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବାଘେଲ କହିଲେ, ପ୍ରାୟ ୧୦ ବର୍ଷରୁ ଅଧିକ ହେବ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ତଥା ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଦିନରାତି ଗାଳି ଗୁଲଜ କରି ଅପମାନିତ କରାଯାଉଛି। ନେହେରୁ ପରିବାରର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଦେଶ ପାଇଁ ନିଜ ଜୀବନକୁ ଆହୁତି ଦେଇଛନ୍ତି। ସୋନିଆ ଗାନ୍ଧୀ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ପଦବୀକୁ ଅସ୍ବୀକାର କରିଛନ୍ତି ଏବଂ ଏହି ବିଜେପି ସରକାର ସେହି ତ୍ୟାଗର ପରିବାର ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି। ଦଶନ୍ଧି ଧରି ନ୍ୟାସନାଲ ହେରାଲଡ଼ ମିଥ୍ୟା ମାମଲାରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଇଡି ସହାୟତାରେ ଅକଥନୀୟ ନିର‌୍ୟାତନା ଦେଇଥିଲେ ଯାହା କୋର୍ଟ ଭିତ୍ତିହୀନ ଓ ନିର୍ଦୋଷ ବୋଲି ବିଚାର ଦେଇଛି। ଏହା ସରକାରଙ୍କ ଗାଲରେ ଶକ୍ତ ଚାପୁଡ଼ା ସଦୃଶ। ନେହେରୁଙ୍କ ପରିବାରଙ୍କୁ ବଦନାମ କରିବା ପରେ ଏବେ ମହାତ୍ମା ଗାନ୍ଧୀଙ୍କ ନାମ ଇତିହାସରୁ ଲିଭାଇ ଦେବାକୁ ବସିଛନ୍ତି। ଦୁନିଆର ସବୁଠୁ ବଡ଼ ଯୋଜନା ବନ୍ଦ କରିଦେଇ ଲକ୍ଷ ଲକ୍ଷ ଗରିବ ଜନତାଙ୍କ ଉପରେ ବିଶ୍ୱାସଘାତ କରିଛନ୍ତି। କିନ୍ତୁ କଂଗ୍ରେସ ଏହାର ଜବାବ ଦେବ।
ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଲେ, ଧାଡ଼ିର ଶେଷରେ ଛିଡା ହୋଉଥିବା ବ୍ୟକ୍ତିକୁ ଧରି ଯେଉଁ ନେତା ଚଲେ ସିଏ ପ୍ରକୃତ ନେତା ଏବଂ ସ୍ବର୍ଗତ ଉଲାକା ସମସ୍ତଙ୍କ ପ୍ରିୟ ନେତା ଥିଲେ। ଓଡ଼ିଶାରେ ଆଦିବାସୀ, ଦଳିତଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି। ଆଦିବାସୀଙ୍କୁ ତାଙ୍କ ଜଙ୍ଗଲ ଜମିରୁ ବିତାଡିତ କରି ନିର‌୍ୟାତନା ଦିଆଯାଉଛି। ଦୁଷ୍କର୍ମ ବଢ଼ିବାରେ ଲାଗିଛି। ହଜାର ହଜାର ମହିଳା ନିଖୋଜ ଅଛନ୍ତି। ପଛୁଆ ୮୪% ଥିଲେ ସୁଦ୍ଧା ଆରକ୍ଷଣ ଠିକରେ ମିଳୁ ନାହିଁ। ବର୍ତ୍ତମାନ ରିଏଲ ନେତାଙ୍କ ଅପେକ୍ଷା ରିଲଵାଲା ନେତାଙ୍କ ଚାହିଦା ବେଶୀ। ଆମକୁ ଏଇ ଡବଲ ଇଞ୍ଜିନ ସରକାର ଫିଙ୍ଗି ଦେବାକୁ ପଡ଼ିବ। ଏବଂ ସମ୍ବିଧାନର ସରକାର ପ୍ରତିଷ୍ଠା କରିବାକୁ ପଡ଼ିବ।
କୋରାପୁଟ ସାଂସଦ ଓ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପୁତ୍ର ସପ୍ତଗିରି ଉଲାକା ପ୍ରାର୍ଥନା ସଭା ଶେଷରେ ଯୋଗ ଦେଇଥିବା ସମସ୍ତ ମାନ୍ୟବର ନେତୃତ୍ୱଙ୍କ ଭୁୟସୀ ପ୍ରଶଂସାକରି ଧନ୍ୟବାଦ ଦେଇଥିଲେ, ପୂର୍ବତନ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନିର୍ବାଚନ ସମୟରେ କାଶୀପୁର ଗସ୍ତ କିଭଳି ସମସ୍ତ ରାୟଗଡାର ନିର୍ବାଚନର ଦିଗ ପରିବର୍ତ୍ତନ କରି ଦେଇଥିଲା, ପିସିସି ସଭାପତି ଶ୍ରୀ ଦାସ ଜଣେ ଟାଣୁଆ ଲଢୁଆ ଓ ଉଦାହରଣର ନେତା, ପିଲାଦିନରୁ ମୁଁ ତାଙ୍କ ଆନ୍ଦୋଳନ ସଂଘର୍ଷ ଶୁଣି ଆସିଛି। ଲାଞ୍ଜିଗଡ ରାହୁଲ ଗାନ୍ଧୀଙ୍କ ରାଲିରେ ଶ୍ରୀ ଦାସଙ୍କ କାର‌୍ୟ୍ୟରେ ଅନୁପ୍ରାଣିତ ହୋଇ ଜର୍ମାନୀରୁ ଚାକିରୀ ଛାଡି ରାଜନୀତିରେ ଯୋଗ ଦେଇଥିଲି। ଉପସ୍ଥିତ ସମସ୍ତ ନେତୃବୃନ୍ଦଙ୍କ ଠାରୁ ମୁଁ ସଦା ପ୍ରେରଣା ପାଇଛି। ଏବଂ ଯୋଗ ଦେଇଥିବା କଂଗ୍ରେସର ନେତୃବୃନ୍ଦ ଏବଂ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରି ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ଲିଗାସିକୁ ଆଗେଇ ନେବାକୁ ଶ୍ରୀ ଉଲାକା ପ୍ରତିଜ୍ଞା କରିଥିଲେ।
ଆଜିର ଶ୍ରାଦ୍ଧ ସଭା ଓ ପ୍ରତିମୂର୍ତ୍ତି ଉନ୍ମୋଚନ କାର‌୍ୟ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ପ୍ରସାଦ ହରିଚନ୍ଦନ, ବିଧାୟକ ରମେଶ ଜେନା, ପବିତ୍ର ସାଉଁତା, ଆପଲା ସ୍ୱାମୀ କାଡରକା, ମଙ୍ଗୁ ଖିଲ, ଦାଶରଥି ଗମାଙ୍ଗୋ, ସତ୍ୟଜିତ ଗୋମାଙ୍ଗୋ, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ପୂର୍ବତନ ବିଧାୟକ ନିମାଇଁ ସରକାର ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ବିଜେପି ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ସମସ୍ତ…

    Continue reading
    ବିଜେପିର ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସ ଅବସରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ