
କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଆଉ ଠିକ୍ ଏତିକିବେଳେ ବିଡିଓ, ବିଧାୟକ, ମନ୍ତ୍ରୀ ଓ ଚାମେଲିଙ୍କ ବୟାନ ବିବାଦକୁ ଅଧିକ ଘନିଭୁତ କରିଛି । ଦୁଇ ଗୋଷ୍ଠୀ ତାଙ୍କ କାର୍ଯ୍ୟାଳୟରେ ଯୁକ୍ତିତର୍କ କରି ପରିବେଶକୁ ଖରାପ କରିଥିବା ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟ କହିଥିବା ବେଳେ, କେବଳ ଚାମେଲିଙ୍କ ନାଁରେ ଅଭିଯୋଗ କାହିଁକି କଲେ, ସେ ନେଇ ଦ୍ଵନ୍ଦ୍ବ ବଢ଼ିଛି । ମହାକାଳପଡ଼ା ବିଧାୟକ ଚାମେଲିଙ୍କୁ ସାନ ଭଉଣୀ ବୋଲି ସମ୍ବୋଧିତ କରିଥିବା ବେଳେ ସେ ବିରୋଧୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଥିବା କହିଛନ୍ତି ।
ଏପଟେ ମହାକାଳପଡ଼ା ବିଧାୟକଙ୍କ ବୟାନର ଉତ୍ତର ରଖି ଚାମେଲି ଓଝା କହିଛନ୍ତି,”ବିରୋଧୀ ଦଳ ମୋତେ ଷଡଯନ୍ତ୍ରରେ ଫସାଇ ନାହାନ୍ତି । ମୁଁ ଛୋଟ ଛୁଆ ନୁହେଁ, ମୋତେ ତେତିଶ ବର୍ଷ ହେଲାଣି । ଯେଉଁ ଷଡ଼ଯନ୍ତ୍ରର ଶିକାର କଥା କୁହାଯାଉଛି, ସେମିତି କିଛି ବି ନାହିଁ । ଯେଉଁ ଭଉଣୀ ପଣିଆ କଥା ବିଧାୟକ କହୁଛନ୍ତି, ଯେତେବେଳେ ଭଉଣୀର ଭାଇ ଦରକାର ଥିଲା ସେତେବେଳେ ସେ କେଉଁଠି ଥିଲେ ? ଅସୁବିଧାରେ ଆସି ଠିଆ ହେଲେ, ସେଠି ଭାଇ-ଭଉଣୀ କୁହାଯାଏ ।”
ଚାମେଲି ଆହୁରି ମଧ୍ୟ କହିଛନ୍ତି ଯେ, ” ଆଠଦିନ ହେଲା ମୁଁ ମେଡିକାଲରେ ପଡ଼ିଥିଲି । 11 ତାରିଖରେ ମହାକାଳପଡ଼ାରେ ପୋଲିସମାନେ ମୋତେ ଘୋଷାରି ଘୋଷାରି ହସ୍ପିଟାଲ ଏବଂ ଜେଲ୍ ପର୍ଯ୍ୟନ୍ତ ନେବା ଏବଂ ପରେ ଜେଲ୍ ଦୁଆର ମୁହଁରୁ ପୁଣି ଫେରେଇ ଆଣି ହସ୍ପିଟାଲରେ ଯେଉଁ ହୀନସ୍ଥା କରିଛନ୍ତି । ଏଭଳି କ୍ଷେତ୍ରରେ ଭଉଣୀ କହିବାକୁ ଖରାପ ଲାଗିବା କଥା। “


