କଟକ: ମୁଖ୍ୟମନ୍ତ୍ରୀ ଆମ ପାଇଁ ଲକି । ସେ ଷ୍ଟାଡିୟମ୍ରେ ଉପସ୍ଥିତ ରହିଥିବାରୁ ଭାରତ ଜିତିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏପରି ପ୍ରଶଂସା କରିଛନ୍ତି ଭାରତୀୟ ଦଳର ଅଧିନାୟକ ସୂର୍ୟ୍ୟକୁମାର ଯାଦବ । ମୁଖ୍ୟମନ୍ତ୍ରୀ ମଧ୍ୟ ସୂର୍ୟ୍ୟକୁମାରଙ୍କୁ ଲକି ବୋଲି କହିଛନ୍ତି । ଉଭୟଙ୍କ ଭିତରେ ହୋଇଥିବା ଏ ପ୍ରକାରର ଆଲୋଚନାକୁ ନିଜେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହିତ ମ୍ୟାଚ୍ ଦେଖି ବହୁତ ଆନନ୍ଦିତ ଥିବା କହିଥିଲେ ।
ବାରବାଟୀକରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ବିରାଟ ବିଜୟ ହାସଲ କରିଛି ଭାରତ । ୧୦୧ର ବଡ଼ ବିଜୟ ହାସଲ କରିଛି ସୂର୍ୟ୍ୟ ବ୍ରିଗେଡ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରାକ୍ରମରେ ବାରବାଟୀ ବିଜୟରୁ ଟି-ଟ୍ୱେଣ୍ଟି ବିଶ୍ୱକପ ବିଗୁଲ ବଜାଇଛି ଟିମ୍ ଇଣ୍ଡିଆ । ଭାରତର ବିଜୟ ପରେ ସୂର୍ୟ୍ୟକୁମାର ଓ ମୁଁ ଏକ ଆନନ୍ଦଭରା ମୁହୂର୍ତ୍ତରେ ପରସ୍ପରକୁ ବିଜୟର ବଧେଇ ଦେବା ବେଳେ ଏଭଳି କଥା ହୋଇଥିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆଜିର ମ୍ୟାଚ୍ ବହୁତ ଉତ୍କଣ୍ଠା ଭରା ଥିଲା । ହଜାର ହଜାର ଦର୍ଶକ ଏହାକୁ ଦେଖି ଆନନ୍ଦିତ ହୋଇଛନ୍ତି । ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଛି । ଏଥର ବାରବାଟୀରେ ମ୍ୟାଚ୍ ପରିଚାଳନା ଉନ୍ନତ ମାନର ଥିଲା । ଏଥିପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, ସହଯୋଗ କରୁଥିବା ପ୍ରଶାସନିକ ଟିମ୍, ପୂରା ପୁଲିସ ପ୍ରଶାସନ ଓ ଏଥିରେ ସାମିଲ ଅନ୍ୟ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ ।
ଆଗକୁ ଷ୍ଟାଡିୟମ୍ରେ ଆହୁରି ମ୍ୟାଚ୍ ହେବ । ସେସବୁର ପରିଚାଳନାକୁ ଅଧିକ ଉନ୍ନତ କରାଯିବ । ଏଥିପାଇଁ ସରକାର ପୂରା ତତ୍ପର ଅଛନ୍ତି । ଆଗକୁ ଷ୍ଟାଡିୟମ୍ କିଭଳି ଦର୍ଶକ ବସିବା କ୍ଷମତା ବଢ଼ାଯିବ ସେନେଇ ସରକାର ଯତ୍ନବାନ ରହିଛନ୍ତି । ରାଜ୍ୟ ସରକାରଙ୍କ ପାଖକୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପ୍ରସ୍ତାବ ଆସିଛି । ଏହାକୁ ସରକାର ଗୁରୁତ୍ୱର ସହିତ ନେଇଛନ୍ତି । ଯାହା ଆବଶ୍ୟକ କାର୍ୟ୍ୟ କରିବାକୁ ପଡ଼ିବ ତାହା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।




