
୨୩ ଅଭିଯୋଗର ଶୁଣାଣୀ, ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି
ରାଇକିଆ-୩୧-୨୬-ରାଇକିଆ ବ୍ଲକ ଅନ୍ତର୍ଗତ ରଣବା ପଞ୍ଚାୟତ ସଭାଗୃହରେ ସୋମବାର ଜନଶୁଣାଣୀ କାର୍ଯ୍ୟକ୍ରମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ସବ୍ୟସାଚୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ଅଭିଯୋଗ ଉପସ୍ଥାପନ କରିଥିଲେ।ଜନଶୁଣାଣୀରେ ମୋଟ ୨୩ଟି ଅଭିଯୋଗ ଦାଖଲ ହୋଇଥିବାବେଳେ ସେଥିମଧ୍ୟରୁ ୧୩ଟି ସାମୂହିକ ଓ ୧୦ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ବିଭିନ୍ନ ପ୍ରକାର ଭତ୍ତା ପ୍ରଦାନ, ଅଙ୍ଗନବାଡ଼ି କେନ୍ଦ୍ର ଗୃହ ମରାମତି, ରାସ୍ତାଘାଟ ମରାମତି ଏବଂ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଭଳି ସମସ୍ୟା ଗ୍ରାମବାସୀ ଜଣାଇଥିଲେ।
ଅଭିଯୋଗଗୁଡ଼ିକୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଡ଼ଃ ସାହୁ ଗୁରୁତ୍ୱର ସହ ଶୁଣିବା ସହ ସମ୍ପୃକ୍ତ ବିଭାଗ ଦ୍ୱାରା ଯାଞ୍ଚ କରାଯାଇ ନିୟମାନୁଯାୟୀ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଅଭିଯୋଗକାରୀଙ୍କୁ ଆଶ୍ୱାସନା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ରଣବା ସରପଞ୍ଚ ଶ୍ରୀମତୀ ବନିତା ମଲ୍ଲିକ, ନାଏବ ସରପଞ୍ଚ ଶ୍ରୀକାନ୍ତ ବିଶୋଇ, ବ୍ଲକ ସଂଯୋଜକ କମଳ ପ୍ରସାଦ ନାୟକ, ଜିପିଡିଓ ମହେଶ ପଟ୍ଟନାୟକ, ଏପିଓ କେଦାର ପଣ୍ଡା, ଏଇଇ ବଣ୍ଟି ଚୌଧୁରୀ, ଓଏଲ୍ଏମ୍ ଜୟଦେବ ପ୍ରଧାନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ ପଣ୍ଡା, ଏଡିଓ ନବଘନ ବେହେରାଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ ପଞ୍ଚାୟତର ୱାର୍ଡସଭ୍ୟସଭ୍ୟା ଉପସ୍ଥିତ ଥିଲେ।
ରିପୋର୍ଟ: ଦ୍ୟୁତି କୃଷ୍ଣ ପଣ୍ଡା




