
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ମଞ୍ଜୁରୀ ଲାଭ କରିଛି । ଶାସନ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ କରିଥିବାରୁ ଅଭିନନ୍ଦନ ଜଣାଇ ଓଡ଼ିଶା କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ ଯୋଜନା, OSCMF ଓ OSSC ପାଇଁ ୧,୩୬୦ କୋଟି କର୍ପସ ଫଣ୍ଡ, ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଓ କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ମହୁଲଡିହା ମୌଜାରେ ୦.୫୦ ଡେସିମିଲ ସରକାରୀ ଜମିକୁ ଡାକ ବିଭାଗକୁ ହସ୍ତାନ୍ତର ହେବ । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ଏହି ଜମିରେ ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ, ଆଧାର କେନ୍ଦ୍ର ଏବଂ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର (POPSK) ନିର୍ମାଣ କରାଯିବ । ଏଥିପାଇଁ ୩ କୋଟି ୫୬ ଲକ୍ଷ ୧୬ ହଜାର ୧୦୦ ଟଙ୍କାର ପ୍ରିମିୟମ, ଜମି ରାଜସ୍ୱର ପୁଞ୍ଜିକୃତ ମୂଲ୍ୟ ଏବଂ ଅନ୍ୟାନ୍ୟ ଶୁଳ୍କ ଛାଡ଼ କରାଯିବ । ଏହା ଦ୍ୱାରା ରାଇରଙ୍ଗପୁର ସମେତ ଆଖପାଖ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଲୋକେ ଉନ୍ନତ ଡାକ ସେବା ପାଇପାରିବେ ।








