
ଭୁବନେଶ୍ୱର: ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ । ବୁଧବାର ରାତି ପ୍ରାୟ ୧୨ଟାରେ କ୍ୟାପିଟାଲ୍ ଥାନା ଅଧୀନ ଶିଶୁଭବନ ଓଭରବ୍ରିଜ୍ ଉପରେ ଆତତାୟୀଙ୍କ ଗୁଳିମାଡ଼ରେ ଟଳି ପଡ଼ିଛନ୍ତି ନିର୍ମାଣ ସଂସ୍ଥାର ଜଣେ କର୍ମଚାରୀ । ମୃତ ଯୁବକ ଜଣକ ହେଲେ ତପନ ନାୟକ ଓରଫ ତପୁ(୩୫) । ସେ ସତ୍ୟନଗର ଅଞ୍ଚଳରେ ରହୁଥିଲେ । ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ ।ରାଜଧାନୀରେ ବୁଧବାର ଜଣେ ବୃଦ୍ଧାଙ୍କୁ ହତ୍ୟା କରି ଘରୁ ଲୁଟ୍ ଏବଂ ଆଉ ଜଣେ ଯୁବକଙ୍କୁ ହତ୍ୟା କରି ପୋଡ଼ିଦେବା ଭଳି ଘଟଣା ପରେ ବିଳମ୍ବିତ ରାତିରେ ଆଉ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୋଟିଏ ଦିନରେ ୩ଟି ହତ୍ୟାକାଣ୍ଡ ରାଜଧାନୀ କେତେ ସୁରକ୍ଷିତ ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପୁଲିସ ସୂଚନା ମୁତାବକ ତପୁ ରାତି ୯ଟା ବେଳେ ତାଙ୍କ ଶଳା ସହିତ ବାଇକ୍ରେ ଜାଗମରା ଅଞ୍ଚଳରେ ଏକ ନିର୍ମାଣ କାମର ତଦାରଖ କରିବାକୁ ଆସିଥିଲେ । ସେଠାରେ ଟଙ୍କାର ଆବଶ୍ୟକତା ଥିବାରୁ କାମ ନିକଟରୁ ବାଇକ୍ ଧରି ସତ୍ୟନଗରକୁ ଆସିଥିଲେ । ରାତି ଗୋଟାଏ ବେଳେ ତପୁଙ୍କ ସାଙ୍ଗ ଉମେଶ ଜେନା ଫୋନ୍ କରି ତପୁଙ୍କ ଶଳାକୁ ଗୁଳିକାଣ୍ଡ ସମ୍ପର୍କରେ ଜଣାଇଥିଲେ । ତପୁଙ୍କ ପରିବାର ଲୋକେ ଉକ୍ତ ଘରୋଇ ହସ୍ପିଟାଲ୍ରେ ପହଞ୍ଚିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ତେବେ ସେମାନଙ୍କୁ ଟେଲିଫୋନ୍ କରି ଗୁଳିକାଣ୍ଡ ସମ୍ପର୍କରେ ଜଣାଇଥିବା ଉମେଶର କୌଣସି ପତ୍ତା ମିଳୁନାହିଁ । ତପୁଙ୍କ ବାଇକ୍ ମଧ୍ୟ ମିଳିନାହିଁ । ଉମେଶ ଧରାପଡ଼ିଲେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହୁଛି ।
ତପୁଙ୍କୁ ପିଛା କରି ୨ ଜଣ ଯୁବକ ବାଇକ୍ରେ ଆସି ତାଙ୍କୁ ଶିିଶୁଭବନ ଓଭରବ୍ରିଜ୍ ଉପରେ ଗୁଳିମାଡ଼ କରିଥିବା କୁହାଯାଉଛି । ତପୁଙ୍କ ଛାତିରେ ଗୁଳି ବାଜିଥିଲା । ସେ ସେଠାରେ ବାଇକ୍ରୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ କ୍ୟାପିଟାଲ୍ ଥାନା ପୁଲିସ ଗୁଳିକାଣ୍ଡ ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ୍ ଏବଂ ପରେ ସେଠାରୁ ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରିଥିଲେ । ଘରୋଇ ହସ୍ପିଟାଲ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହକୁ କ୍ୟାପିଟାଲ୍ ହସ୍ପିଟାଲ୍ ଶବାଗାରରେ ରଖାଯାଇଛି । ତପୁଙ୍କ ପତ୍ନୀ ଓ ୪ ବର୍ଷର ଏକ ଝିଅ ଅଛି । କ୍ୟାପିଟାଲ୍ ଓ ଶ୍ରୀଲିଙ୍ଗରାଜ ଥାନା ପୁଲିସ୍ ଗୁଳିକାଣ୍ଡର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ସୂଚନା ମିଳିଛି ।





