
ଭୁବନେଶ୍ୱର: ଆସନ୍ତା ଜୁନ୍ ୧୨ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ ସିଧା ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିବ । ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍ ଓ କୁଆଲାଲାମ୍ପୁର ପରେ ଅନ୍ୟ ଏକ ଦେଶ ସହ ବିମାନ ସେବା ଯୋଡ଼ି ହେବ ।
ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଏହି ବିମାନଯାତ୍ରାର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ନୂଆ ଡେଷ୍ଟିନେସନ୍ ପଲିସି (ଏନ୍ଡିପି) ୨୦୨୪ ଆଧାରରେ ରାଜ୍ୟର ପର୍ୟ୍ୟଟନ ଓ ବ୍ୟବସାୟ ଉନ୍ନତିକରଣକୁ ଗୁରୁତ୍ୱ ଦିଆଯାଉଛି । ଏହି ନୂଆ ଉଡ଼ାଣ ଦ୍ୱାରା ଅର୍ଥନୈତିକ ବିକାଶ ହେବା ସହ ସଂସ୍କୃତିର ଆଦାନପ୍ରଦାନ ବଢ଼ିବ । ବିକଶିତ ଓଡ଼ିଶା ଅଭିଯାନରେ ରାଜ୍ୟ ଆଉ ପାଦେ ଆଗେଇବ ବୋଲି ସରକାର ସୂଚାଇଛନ୍ତି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଇଣ୍ଡିଗୋର ଏକ ବିମାନ ସପ୍ତାହକୁ ୩ ଦିନ (ମଙ୍ଗଳବାର, ଗୁରୁବାର ଓ ଶନିବାର) ଭୁବନେଶ୍ୱରରୁ ଆବୁଧାବିକୁ ଚଳାଚଳ କରିବ ।








