
ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ ସମୟ ନଷ୍ଟ ହେବା ଯୋଗୁଁ ପ୍ରାୟ ୨୧୬ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଛି । ସଂସଦ ହେଉଛି ଗଣତନ୍ତ୍ରର ସର୍ବୋଚ୍ଚ ମଞ୍ଚ । ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉ କିମ୍ବା ନୂଆ ଆଇନ, ପ୍ରତ୍ୟେକ ବିଲ୍ ଉପରେ ସାଂସଦମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ଓ ଚର୍ଚ୍ଚା ହେବା ଆବଶ୍ୟକ । ହେଲେ ସଂସଦରେ ବାରମ୍ବାର ହଙ୍ଗାମା ଓ ବିରୋଧ ଯୋଗୁଁ ଏହି ଉଦ୍ଦେଶ୍ୟ ପ୍ରଭାବିତ ହୋଇଥିବା କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । ତାଙ୍କ ଅଭିଯୋଗ ହେଉଛି, ବିରୋଧୀ ଦଳର ଦାୟିତ୍ୱହୀନ ବ୍ୟବହାର ଯୋଗୁଁ ସଂସଦର ଅନେକ ମୂଲ୍ୟବାନ ସମୟ ନଷ୍ଟ ହୋଇଛି । ଫଳରେ ଏହାର ଆର୍ଥିକ ପ୍ରଭାବ ମଧ୍ୟ ପଡ଼ିଛି ।
ଅପରାଜିତାଙ୍କ କହିବା ଅନୁସାରେ, ଲୋକସଭାରେ ୧୨ଟି ବିଲ୍ ପାସ୍ ହୋଇଥିଲେ ମଧ୍ୟ ପ୍ରତ୍ୟେକ ବିଲ୍ ଉପରେ ଯଥେଷ୍ଟ ଚର୍ଚ୍ଚା ଓ ଆଲୋଚନା ହୋଇପାରିନାହିଁ । ସଂସଦରେ ହଙ୍ଗାମା ହେଲେ କେବଳ ସାଂସଦମାନଙ୍କ ସମୟ ନୁହେଁ, ଦେଶର ଟିକସଦାତାଙ୍କ ଟଙ୍କା ମଧ୍ୟ ପ୍ରଭାବିତ ହୁଏ ବୋଲି ସେ କହିଛନ୍ତି । ଯଦି ସଂସଦର କାର୍ଯ୍ୟ ହଙ୍ଗାମା ଯୋଗୁଁ ଠପ୍ ହୋଇଯାଏ, ତେବେ ଏହାର ଆର୍ଥିକ କ୍ଷତି ଶେଷରେ ଦେଶବାସୀଙ୍କୁ ସହିବାକୁ ପଡ଼ିବ । ତେଣୁ ଏଭଳି ପରିସ୍ଥିତି ପାଇଁ ଦାୟୀ କିଏ, ସେନେଇ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା । ସଂସଦରେ ବିଲ୍ ଆସିବା ପରେ ଏହା ଉପରେ ସକାରାତ୍ମକ ଚର୍ଚ୍ଚା ହେବା ଦରକାର ।
ସରକାରୀ ପକ୍ଷ ନିଜ ଯୁକ୍ତି ରଖିବା ସହ ବିରୋଧୀ ଦଳ ମଧ୍ୟ ବିଲ୍ର ବିଭିନ୍ନ ଦିଗ ଉପରେ ପ୍ରଶ୍ନ ଉଠାଇପାରନ୍ତି । ହେଲେ ହଙ୍ଗାମା ଯୋଗୁଁ ଯଦି ଚର୍ଚ୍ଚାର ସୁଯୋଗ ହିଁ ନମିଳେ, ତେବେ ଏହା ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଚିନ୍ତାର ବିଷୟ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦରେ ହଙ୍ଗାମା ଯୋଗୁଁ ହୋଇଥିବା କ୍ଷତି ପାଇଁ ୨୧୬ କୋଟି ଟଙ୍କାର କ୍ଷତିର ଦାୟୀ କିଏ? ଏବଂ ପାସ୍ ହୋଇଥିବା ବିଲ୍ଗୁଡ଼ିକ ଉପରେ ପର୍ଯ୍ୟାପ୍ତ ଚର୍ଚ୍ଚା କାହିଁକି ହୋଇପାରିଲା ନାହିଁ? ଏହାର ଜବାବ ମିଳିବା ଦରକାର ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । ସଂସଦର ସମୟ ଦେଶବାସୀଙ୍କ ସମ୍ପତ୍ତି, ତେଣୁ ହଙ୍ଗାମା ନୁହେଁ, ଗଣତାନ୍ତ୍ରିକ ଚର୍ଚ୍ଚା ମାଧ୍ୟମରେ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ ହେବା ଦରକାର ।




