
ଦେବଗଡ଼:ତିଲେଇବଣି ବ୍ଲକର କଲଣ୍ଡା ପଂଚାୟତରେ ସାପ୍ତାହିକ ବଜାର ଖୋଲିବା ପାଇଁ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ ଆଜି ସଂଘ ପକ୍ଷରୁ କଲଣ୍ଡା ସରପଂଚ ସସ୍ମିତା ଲୁଗୁନ ଓ ପଂଚାୟତ ନିର୍ବାହୀ ଅଧିକାରୀ ପ୍ରିୟା ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଦାବି ପତ୍ର ପ୍ରଦାନବେଳେ ସଂଘର ସଭାପତି ସେମ ହେମ୍ରମ, ଗୋଲଖ ଚନ୍ଦ୍ର ନାଏକ,ରମାକାନ୍ତ ନାଏକ, ରମେଶ ଚନ୍ଦ୍ର ପାତ୍ର, ସନ୍ତୋଷ ଉଦାବର, ସୁଶୀଲ ଗୁଡିଆ,ଜିତେନ୍ଦ୍ର ବେହେରା, ସୁଜନ ଦୀପ, ଆନନ୍ଦ ମୁଣ୍ଡା ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, କଲଣ୍ଡା ପଂଚାୟତର ବିଭିନ୍ନ ଗ୍ରାମରେ ବିଭିନ୍ନ ଚାଷ ଏବଂ ପନିପରିବା ଚାଷ କରି ଚାଷୀମାନେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ ରବିବାର ଦିନ କଲଣ୍ଡା ପଂଚାୟତରେ ସାପ୍ତାହିକ ବଜାର ଖୋଲା ଗଲେ ଚାଷୀମାନେ ସେମାନଙ୍କର ଉତ୍ପାଦିତ ଫସଲକୁ ବିକ୍ରି କରି ଲାଭବାନ ହେବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


