
ଭୁବନେଶ୍ୱର: ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ନାଁରେ ପୁଣି ସାଂଘାତିକ ଅଭିଯୋଗ। ଜଣେ କଏଦୀଙ୍କୁ ବ୍ରାଉନସୁଗାର ମାମଲାରେ ଫସାଇବାକୁ ଚାପ ପକାଉଥିଲେ ତତ୍କାଳୀନ ଜେଲ୍ ଡିଜି। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନିଲମ୍ବିତ ବାଲେଶ୍ୱର ଜେଲର ପ୍ରଦୀପ୍ତ କୁମାର ମହାଳିକ।
ପ୍ରଦୀପ୍ତଙ୍କ ଅଭିଯୋଗ ଅନୁସାରେ, ଜେଲ୍ ରେ ଜଣେ କଏଦୀଙ୍କୁ ବ୍ରାଉନସୁଗାର ମାମଲାରେ ଫସାଇବାକୁ ତାଙ୍କ ଉପରେ ଚାପ ପକାଉଥିଲେ ତତ୍କାଳୀନ ଜେଲ୍ ଡିଜି ସୁଶାନ୍ତ ନାଥ। ଏଥିରେ ରାଜି ନହେବାରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଏନେଇ ନଭେମ୍ବର ୨ ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ପ୍ରଦୀପ୍ତ।
ଅକ୍ଟୋବର ୧୩ର ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ମଧ୍ୟ କରିଛନ୍ତି ନିବେଦନ। ତେବେ ଏହି ସଙ୍ଗୀନ ଅଭିଯୋଗକୁ ନେଇ ପୂର୍ବତନ ଜେଲ ଡିଜି ସୁଶାନ୍ତ ନାଥଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।




