
ସମ୍ବଲପୁର:ଭିଜିଲାନ୍ସ ସପ୍ତାହ ନ ସରୁଣୁ ଲାଞ୍ଚ ନେଉଥିବା ସମୟରେ ବନ୍ଧା ହୋଇଛନ୍ତି ସମ୍ବଲପୁର-ତାଳଚେର ରେଳ ଦୋହରୀକରଣର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ (ସ୍ପେସାଲ୍ ଏଲ୍ଏଓ) ଅଜୟ କୁମାର ଗଡ଼ନାୟକ (ଓଆର୍ଏସ୍) । ଜଣେ ବ୍ୟକ୍ତିଙ୍କ ଜମି ଅଧିଗ୍ରହଣ ଓ ନିର୍ମାଣାଧୀନ ଘରର ମୂଲ୍ୟ ବାବଦକୁ ମିଳିବାକୁ ଥିବା ଟଙ୍କା ଅନୁମୋଦନ ପାଇଁ ଲାଞ୍ଚ ନେଉଥିବା ସମୟରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ମାଡ଼ି ବସିଥିଲା । ତାଙ୍କଠାରୁ ୩.୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଆଜି ଅଜୟ କୁମାର ଗଡ଼ନାୟକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
ସମ୍ବଲପୁର ଭିଜିଲାନ୍ସ ସୂଚନା ଅନୁସାରେ, ସମ୍ବଲପୁର-ତାଳଚେର ରେଳ ଲାଇନ୍ ଦୋହରୀକରଣର ପାଇଁ ଜମି ଅଧିଗ୍ରହଣ ହୋଇଥିଲା । ଏହି ବାବଦରେ ଅଭିଯୋଗକାରୀ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା ଅଧିଗ୍ରହଣ ଟଙ୍କା ପାଇବାର ଥିଲା । ଏହାକୁ ସ୍ପେଶାଲ୍ ଏଲ୍ଏଓ ଅନୁମୋଦନ କରିବା ପାଇଁ ୫.୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ନହେଲେ ହଇରାଣ ହେବାକୁ ପଡ଼ିବ ବୋଲି ଧମକ ଦେଇଥିଲେ । ଅଭିଯୋଗକାରୀ କିଛି ଦିନ ପୂର୍ବରୁ ୨ ଲକ୍ଷ ଟଙ୍କା ଦେଇଥିଲେ । ଅନୁଗୋଳ ବିଏଡ୍ ମହାବିଦ୍ୟାଳୟ ସମ୍ମୁଖରେ ଶ୍ରୀ ଗଡ଼ନାୟକ ବାକି ୩.୧ ଲକ୍ଷ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ତାଙ୍କ ନିକଟରୁ କେମିକାଲ ବୋଳା ଟଙ୍କା ଜବତ କରିଥିଲା ।
ସମ୍ବଲପୁର ଭିଜିଲାନ୍ସ ଏସ୍ପି ପ୍ରଦ୍ୟୁମ୍ନ ଦ୍ୱିବେଦୀ କହିଛନ୍ତି, ପୂର୍ବରୁ ଅଧିକାରୀଙ୍କ ଉପରେ ନଜର ଥିଲା । ସମ୍ବଲପୁର ତାଳଚେର ରେଳ ଦୋହରୀକରଣ କାମରେ ଅର୍ଥ କାରବାର ହେଉଥିବା ଜାଣିଥିଲୁ । ଶ୍ରୀ ଗଡ଼ନାୟକ ଏହା ପୂର୍ବରୁ ଅନେକ ଲୋକଙ୍କଠାରୁ ଲାଞ୍ଚ ନେଇଥିଲେ । କିନ୍ତୁ ଆମ ପାଖରେ ତଥ୍ୟ ପ୍ରମାଣ ନ ଥିବାରୁ ଚଢ଼ଉରେ ବିଳମ୍ବ ହୋଇଛି । ଜଣେ ଅଭିଯୋଗକାରୀ ଆମକୁ ଅଭିଯୋଗ କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କ ସରକାରୀ କ୍ୱାର୍ଟର୍ସ, ଢେଙ୍କାନାଳ ରାସୋଳସ୍ଥିତ ସରକାରୀ ବାସଭବନ ଏବଂ ସମ୍ବଲପୁର କାର୍ଯ୍ୟାଳୟରେ ଚଢ଼ଉ ହୋଇଛି ।




