
ରାଜସ୍ଥାନ: ଜୟପୁର ବିମାନବନ୍ଦରରେ ବଡ଼ଧରଣର ବିମାନ ହାଇଜାକ୍ ଆଲର୍ଟ । ଯାହା ପରେ କିଛି ସମୟ ପାଇଁ ବିମାନରେ ଆତଙ୍କ ଖେଳିଯାଇଥିଲା । ଜର୍ମାନୀର ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଫ୍ଲାଇଟ୍ (AI-2030)କୁ ଜୟପୁରରେ ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ କରାଯାଇଛି । ସୂଚନା ଅନୁଯାୟୀ, ଅହମ୍ମଦାବାଦ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ପାଖକୁ ଏହି ବିମାନକୁ ନେଇ ଏକ ସତର୍କ ସୂଚନା ଆସିଥିଲା, ଯାହା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତତ୍ପର ହୋଇପଡ଼ିଥିଲେ ।
ସୂଚନା ମୁତାବକ, ବିମାନର ପାଇଲଟ୍ ଭୁଲବଶତଃ ମାତ୍ର କିଛି ସେକେଣ୍ଡ ପାଇଁ ଏକ ଜରୁରୀକାଳୀନ କୋଡ୍ ପଠାଇ ଦେଇଥିଲେ । ବିମାନ ଚଳାଚଳ କ୍ଷେତ୍ରରେ ‘Squawk-7500’ କୋଡ୍ଟି ବିମାନ ହାଇଜାକ୍ କିମ୍ବା ବେଆଇନ କବଜା ସ୍ଥିତିକୁ ସୂଚିତ କରିଥାଏ । ଏହି ଆଲର୍ଟ ମିଳିବା କ୍ଷଣି ବିମାନକୁ ଜୟପୁର ଆଡ଼କୁ ଡାଇଭର୍ଟ କରାଯାଇଥିଲା । ସକାଳ ପ୍ରାୟ ୯:୪୫ ମିନିଟରେ ବିମାନକୁ ଜୟପୁର ବିମାନବନ୍ଦରର ଆଇସୋଲେସନ୍ ବେ କୁ ଅଣାଯାଇଥିଲା । ଏହାପରେ ସୁରକ୍ଷା ଏଜେନ୍ସିଗୁଡ଼ିକର କଡ଼ା ନଜରରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଟର୍ମିନାଲକୁ ପଠାଯାଇଛି । ତେବେ ପାଇଲଟ୍ କାହିଁକି ଏହି କୋଡ୍ ଜାରି କରିଥିଲେ, ସେ ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ କରାଯାଉଛି ।
ଏହିପରି ଏକ ଘଟଣା ଗତ ସେପ୍ଟେମ୍ବର ୩୦, ୨୦୨୬ରେ ମଧ୍ୟ ଘଟିଥିଲା । ଦୁବାଇରୁ ଇସ୍ରାଏଲର ତେଲ ଅବିବ ଯାଉଥିବା ‘ଫ୍ଲାଏ ଦୁବାଇ’ ର ଫ୍ଲାଇଟ୍ FZ1073 ମଧ୍ୟ ହାଇଜାକ୍ ଆଲର୍ଟ ସୃଷ୍ଟି କରିଥିଲା । ବୋଇଂ ୭୩୭ ମ୍ୟାକ୍ସ ବିମାନଟି ପ୍ରଥମେ ଏମର୍ଜେନ୍ସି କୋଡ୍ ୭୭୦୦ ଏବଂ ପରେ ସ୍କ୍ବାକ୍-୭୫୦୦ ଜାରି କରିଥିଲା । ପରେ ସେହି ବିମାନକୁ ସାଉଦି ଆରବର ତବୁକ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ସେହି ଘଟଣାରେ ଜଣେ କୋ-ପାଇଲଟ୍ଙ୍କ ସନ୍ଦିଗ୍ଧ ଆଚରଣକୁ ନେଇ ମଧ୍ୟ ବ୍ୟାପକ ଚର୍ଚ୍ଚା ହୋଇଥିଲା ।








