
ଭୁବନେଶ୍ୱର: ଆସନ୍ତା ୧୧ ତାରିଖରୁ ରାଜ୍ୟରେ ପୁଣିଥରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବ। ୧୩-୧୪ ତାରିଖ ବେଳକୁ କେନ୍ଦ୍ରୀୟ ତଥା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ମାତ୍ରାଧିକ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ୧୧ ତାରିଖରେ ମାଲକାନଗିରି ଓ କୋରାପୁଟରେ ସବୁଠୁ ଅଧିକ ବର୍ଷା ଆଶଙ୍କା ରହିଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।
ବର୍ତ୍ତମାନ ଓଡ଼ିଶା ଉପରେ ମୌସୁମୀ ଟ୍ରଫ୍ ସହିତ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ ସ୍ଥିତି ସୃଷ୍ଟି ହେଉଛି। ସୋମବାର ପାରଳାଖେମୁଣ୍ଡିରେ ସର୍ବାଧିକ ୫୨ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୧୧ମିମି ଓ ଚାନ୍ଦବାଲିରେ ୧୦ ମିମି ବର୍ଷା ରେକର୍ଡ ହୋଇଛି। ଏହି ସ୍ଥିତି ଆଗକୁ ମଧ୍ୟ ଜାରି ରହିବାର ସମ୍ଭାବନା ରହିଛି। ମୌସୁମୀ ଋତୁରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୬୩ ମିମି ବର୍ଷା ରେକର୍ଡ ହୋଇଛି। ଏହି ସମୟ ସୁଦ୍ଧା ସ୍ୱାଭାବିକ ବର୍ଷା ୯୯୨ ମିମି ତୁଳନାରେ ବର୍ଷାର ପରିମାଣ ୩ ପ୍ରତିଶତ କମ୍ ରହିଛି। ମୋଟ୍ ୮ ଟି ଜିଲ୍ଲାରେ ବର୍ଷାର ସ୍ଥିତି ନିଅଣ୍ଟିଆ ରହିଥିବା ବେଳେ ୬ ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଓ ବାକି ସମସ୍ତ ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକ ରହିଛି।




