
ଭୁବନେଶ୍ୱର: ଦାବି ପୂରଣ ପାଇଁ ଦୀର୍ଘ ଦିନ ଧରି ସଂଘର୍ଷ କରି ଆସୁଥିବା ଓଡିଶା ମେଡିକାଲ ସେବା ସଂଘ ଏଥର କଠୋର ନିଷ୍ପତି ନେଇଛି । ଚଳିତ ମାସ ୨୧ ତାରିଖରୁ ରାଜ୍ୟବ୍ୟାପୀ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରିବେ ବୋଲି ସଂଘ ଚେତାବନୀ ଦେଇଛି । ବିଶେଷ କରି ଓପିଡ଼ିରେ କଳା ପୋଷାକ ପିନ୍ଧିବା ସହିତ କଳା ବ୍ୟାଜ ପିନ୍ଧି କାର୍ୟ୍ୟ କରିବେ । ଏହା ସତ୍ତ୍ୱେ ଯଦି ସରକାର ନ ଶୁଣନ୍ତି ତେବେ ନଭେମ୍ବର ୩ ତାରିଖରୁ ରାଜ୍ୟବ୍ୟାପୀ ଓପିଡି ସମେତ ସରକାରୀ କାର୍ୟ୍ୟକ୍ରମକୁ ବର୍ଜନ ଅରିବେ ବୋଲି ଚେତାବନୀ ଦେଇଛି ସଂଘ । ରାଜ୍ୟ ସରକାର ଡାକ୍ତରମାନଙ୍କ ଦାବି ପୂରଣ ନ କରିବା ପର୍ୟ୍ୟନ୍ତ ଏହି ପ୍ରତିବାଦ ଜାରି ରହିବ ବୋଲି ଓମ୍ସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର କହିଛନ୍ତି।୧୮ ଦଫା ଦାବି ପୂରଣ ପାଇଁ ଓମ୍ସା ପକ୍ଷରୁ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି। ବିଗତ ଦିନରେ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବଙ୍କ ସହିତ ଓମସାର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା ହୋଇଥିଲେ। ସଂଘର ଦାବିଗୁଡ଼ିକ ପୂରଣ କରିବା ଲାଗି ସରକାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଏଯାଏଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ସରକାର ବାରମ୍ବାର ଏଭଳି ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ କୌଣସି ଦାବି ପୂରଣ କରାଯାଉନାହିଁ ବୋଲି ଅଭିଯୋଗ କରିଛି ସଂଘ ।
ତେଣୁ ଏଥର କଠୋର ନିଷ୍ପତ୍ତି ନେଇଛି ସଂଘ । ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡ଼ିଲେ ମଧ୍ୟ ଆମେ ଆମର ଦାବି ପୂରଣ ପାଇଁ ଲଢେଇ ଜାରି ରଖିବୁ ବୋଲି କହିଛନ୍ତି ଓମ୍ସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ।୧୮ ଦଫା ଦାବି ମଧ୍ୟରୁ କିଛି ମୁଖ୍ୟ ଦାବି ଗୁଡିକ ହେଉଛି, ଡିଏସ୍ପି , କ୍ୟାଡର ପୁନର୍ଗଠନ, କେବିକେ ଅଂଚଳରେ ଦୀର୍ଘ ୫ ବର୍ଷ ରହିଥିବା ଡାକ୍ତରଙ୍କୁ ସେମାନଙ୍କ ନିଜ ଅଂଚଳକୁ ଫେରାଇ ଆଣିବା ଇତ୍ୟାଦି । କାରଣ ରାଜ୍ୟ ସରକାରଙ୍କ ସର୍ତ୍ତ ଅନୁଯାୟୀ ଏହି ଡାକ୍ତରମାନେ କେବିକେ ଯାଇଥିଲେ । ଏହା ବ୍ୟତୀତ ଡାକ୍ତରଙ୍କ ପଦୋନ୍ନତି କରିବା ପାଇଁ ମଧ୍ୟ ଦାବି କରିଛି ସଂଘ ।
ଡାକ୍ତର କିଶୋର ଚନ୍ଦ୍ର ମିଶ୍ରଙ୍କ କହିବା ଅନୁଯାୟୀ, ଡିଏସ୍ପି ଏକ ଗୁରୁତ୍ୱପୂର୍ଣ୍ଣ ଦାବି । ଏହାର ଅର୍ଥ ହେଉଛି, ଯେହେତୁ ଡାକ୍ତରମାନଙ୍କ ପାଇଁ ପଦୋନ୍ନତିର ବିଶେଷ ସୁଯୋଗ ନାହିଁ ତେଣୁ ସେମାନଙ୍କୁ ପଦୋନ୍ନତିର ଦରମା ଦିଆଯାଇଥାଏ । ହେଲେ ଓଡିଶାରେ ଏହା ଆଜିଯାଏ ଲାଗୁ କରାଯାଇ ନାହିଁ । ସଂଘ ଅଭିଯୋଗ କରିଛି ଯେ, ଅଧିକାଂଶ ରାଜ୍ୟରେ ଡିଏସ୍ପି ଲାଗୁ କରାଯାଇଛି । ରାଜ୍ୟ ସରକାରୀ ଡାକ୍ତର କନଫରେନ୍ସରେ ନିଜେ ମୁଖ୍ୟମନ୍ତ୍ରୀ ଡିଏସ୍ପି ଲାଗୁ ହୋଇ ନ ଥିବା ନେଇ ଆଶ୍ଚର୍ୟ୍ୟ ପ୍ରକାଶ କରିଥିଲେ । ତଥାପି ଓଡ଼ିଶାରେ ଏପର୍ୟ୍ୟନ୍ତ ଏହା ଲାଗୁ କରାଯାଇ ନାହିଁ । ବାରମ୍ବାର ଆଲୋଚନା ସତ୍ତ୍ୱେ ମଧ୍ୟ ସରକାର ଏ ନେଇ କୌଣସି ପଦକ୍ଷେପ ନେଉନାହାଁନ୍ତି ।
ଡାକ୍ତର ମିଶ୍ର ଆହୁରି ଅଭିଯୋଗ କରିଥିଲେ ଯେ, ୨୦୧୭ ପରଠାରୁ କ୍ୟାଡର ଗଠନ ହୋଇନାହିଁ । ରାଜ୍ୟରେ ୧୫,୭୭୪ ଡାକ୍ତର ପଦବୀ ରହିଥିବା ବେଳେ ସ୍ପେସିଆଲ ସେକ୍ରେଟାରୀ ମାତ୍ର ଅଛନ୍ତି ୧୪ ଜଣ । ଏହାକୁ ୩୦୦କୁ ବୃଦ୍ଧି କରିବାକୁ ଦାବି ରଖିଛନ୍ତି ସଂଘ ।




