
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମମୌସୁମୀ ବାୟୁ ସୋମବାର ଓଡ଼ିଶାର ଆହୁରି କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ ବଲାଙ୍ଗୀର ଓ ବରଗଡ଼ର ଅଳ୍ପ ଅଂଶ, ନବରଙ୍ଗପୁର ଓ ଝାରସୁଗୁଡ଼ାର କିଛି ଅଂଶ, କଳାହାଣ୍ଡି, ସୋନପୁର ଏବଂ ସୁନ୍ଦରଗଡ଼ର ଅଧିକାଂଶ ଅଂଶ ଦେଇ ଅତିକ୍ରମ କରିଛି। ରାଜ୍ୟରେ ମୌସୁମୀ ସକ୍ରିୟ ଥିବାବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି। ତେଣୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସାରା ଓଡ଼ିଶା ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଟ୍ରଫ୍ ଲାଇନ ସହ କାଳବୈଶାଖୀ ଯୋଗୁ ବର୍ଷା ହେଉଥିବା ବେଳେ ଆହୁରି ୪ଦିନ ଅର୍ଥାତ ୨୬ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୋମବାର ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ମୌସୁମୀଜନିତ ବର୍ଷା ହୋଇଛି।
ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ପୂରା ରାଜ୍ୟରେ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ବର୍ଷା ସମୟରେ ଘଣ୍ଟାପ୍ରତି ୩୦ରୁ ୫୦ କି.ମି. ପର୍ଯ୍ୟନ୍ତ ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷେ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗିରହିବ। ସେହିପରି ବର୍ଷା ପ୍ରଭାବରେ ଆଗାମୀ ୨ଦିନ ମଧ୍ୟରେ ଦିନ ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବ। ରାଜ୍ୟରେ ଝଡ଼ବର୍ଷା ଲାଗିରହିଥିବାବେଳେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମଙ୍ଗଳବାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ ୨୪ଘଣ୍ଟାରେ ରାଜ୍ୟର ସମସ୍ତ ଜିଲାର ତାପମାତ୍ରା ୩୮ ଡିଗ୍ରୀ ତଳେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ୩୭.୫ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ନୂଆପଡ଼ାରେ ୩୭, ଝାରସୁଗୁଡ଼ାରେ ୩୬.୮, ଜଗତ୍ସିଂହପୁର ଓ କୋରାପୁଟରେ ୩୬.୫, ସମ୍ବଲପୁରରେ ୩୬.୪, ଭୁବନେଶ୍ୱରରେ ୩୧.୭, କଟକ ଓ ପୁରୀରେ ୩୧.୨, ବାଲେଶ୍ୱରରେ ୨୯.୮ , କେନ୍ଦୁଝରରେ ୨୯.୪, ଫୁଲବାଣୀରେ ୨୮.୯ ଏବଂ ଦାରିଙ୍ଗିବାଡ଼ିରେ ସବୁଠାରୁ କମ୍ ୨୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।


