
ପୁରୀ: ସାବିତ୍ରୀ ଅମାବାସ୍ୟା ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି। ସାବିତ୍ରୀ ମନ୍ଦିରରେ ପୂଜାବିଧି ଆଧ୍ୟାତ୍ମିକ ପରିବେଶରେ ସମ୍ପନ କରାଯାଇଛି। ସକାଳୁ ସକାଳୁ ବିବାହିତ ମହିଳା ମାନେ ତାଙ୍କ ସ୍ବାମୀଙ୍କର ଆୟୁଷ କାମନା କରି ଫଳମୂଳ ଓ ଶଙ୍ଖା ସିନ୍ଦୂର ପୂଜାର୍ଚ୍ଚନା କରିଛନ୍ତି। ସେପଟେ ଅମାବାସ୍ୟା ତିଥିରେ ଭିତର ଚନ୍ଦନ ଯାତ୍ରା ଅବସରରେ ଜଳକ୍ରୀଡ଼ା ଅନୁଷ୍ଠିତ ହେବ।
ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ, ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀ ଦିନ ଜଳକ୍ରୀଡ଼ା କରିଥାନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା। ଶ୍ରୀମନ୍ଦିର ଭିତର ବେଢ଼ାର ଜଳକ୍ରୀଡ଼ା ମଣ୍ଡପରେ ଏହି ନୀତି ପାଳିତ ହୁଏ। ଉକ୍ତ ଦିନ ଦିବା ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ସରିବା ପରେ ଦକ୍ଷିଣି ଘର ଭୋଗ ସରି ଶ୍ରୀମଦନମୋହନ ରନ୍ ସିଂହାସନକୁ ବିଜେ ହୋଇଥାନ୍ତି।
ଶ୍ରୀମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପ୍ରାପ୍ତ ହୋଇ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରିଥାନ୍ତି । ସେଠାରେ ମହାଜନ ସେବକମାନେ ପ୍ରତିମାମାନଙ୍କୁ ଜଳକୁଣ୍ଡରେ ବିଜେ କରାଇଥାନ୍ତି ଓ ମୁଦିରସ୍ତ ସେବକ ପ୍ରସାଦ ଲାଗି କରନ୍ତି। ଚନ୍ଦନ ପାଣି ପିଚକାରୀ ହୋଇବା ପରେ ଶୀତଳ ଭୋଗ ଓ ଶ୍ରୀଅଙ୍ଗ ପୋଛା, ମଇଲମ, ମାଳଫୁଲ ଲାଗି ହୋଇ ବେଶ କରାଯାଏ। ଜଳକ୍ରୀଡ଼ା ନୀତି ସରିବା ପରେ ଶ୍ରୀଦେବୀ ରନ୍ ସିଂହାସନରେ ବିଜେ କରି ଶ୍ରୀଅଙ୍ଗ ଲାଗି ହେବେ ଓ ଶ୍ରୀମଦନମୋହନ ଦକ୍ଷିଣ ଘରକୁ ବିଜେ କରିବେ।








