
ହାଇଦ୍ରାବାଦ: ଆମେରିକାରେ ଭାରତୀୟ ଯୁବକଙ୍କୁ ଗୁଳି କରି ହତ୍ୟା । ତେଲେଙ୍ଗାନାର ଜଣେ 28 ବର୍ଷୀୟ ଯୁବକ, ଆମେରିକାରେ ଏକ ପାର୍ଟ-ଟାଇମ୍ ପିଜା ଡେଲିଭରୀ ବୟ ଭାବରେ କାମ କରୁଥିଲେ । ପିଜା ଡେଲିଭରୀ କରିବା ପାଇଁ ଯାଉଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି । ଶୁକ୍ରବାର ରାତିରେ ତାଙ୍କୁ ହତ୍ୟା କରାଯାଇଛି ।
ସୂଚନା ଅନୁସାରେ, ତେଲେଙ୍ଗାନା ମେଡଚଲର ମାଲକାଜଗିରି ଜିଲ୍ଲାର ଗୁଣ୍ଡଲାପୋଚମ୍ପପାଲିର କୁଞ୍ଚ ଶ୍ରୀନିବାସ ଏବଂ ନୀଳିମାଙ୍କ ପୁଅ କୁଞ୍ଚ ଅଂଶୁଲ (28) ଆମେରିକାର ଉତ୍ତର ଫିଲାଡେଲଫିଆରେ ବିଳମ୍ବିତ ରାତିରେ ପିଜା ଡେଲିଭରୀ ପାଇଁ ଯାଉଥିବା ସମୟରେ ଆକ୍ରମଣକାରୀମାନେ ତାଙ୍କ ଉପରେ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।
2023 ମସିହାରେ ଆମେରିକା ଯାଇଥିବା ଅଂଶୁଲ KWC ନାମକ ଏକ କମ୍ପାନୀରେ କାମ କରୁଥିଲେ । ଅଧିକ ରୋଜଗାର ଆଶାରେ ସେ ସପ୍ତାହାନ୍ତରେ ପିଜା ଡେଲିଭରୀ ବୟ ଭାବରେ କାମ କରୁଥିଲେ । ଶୁକ୍ରବାର ରାତିରେ, ଏଡଗଲି ଷ୍ଟ୍ରିଟରେ ଥିବା ରେମଣ୍ଡ ରୋଜେସ୍ ହୋମ୍ସ ପରିସରରେ ଥିବା ଏକ ଘରେ ତିନୋଟି ପିଜା ଡେଲିଭରୀ ପାଇଁ ଏକ ଅର୍ଡର ମିଳିଥିଲା । ଅଂଶୁଲ ରାତି 12.30ରେ ଡେଲିଭରୀ ପାଇଁ ସେଠାକୁ ଯାଇଥିଲେ । ଗାଡ଼ିରୁ ଓହ୍ଲାଇ ଘର ପରିସରରେ ପ୍ରବେଶ କରିବାର କିଛି ସମୟ ପରେ, କିଛି ଅଜଣା ମୁଖାପିନ୍ଧା ଲୋକ ହଠାତ୍ ଆସି ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ ।
ତେବେ ଅଂଶୁଲଙ୍କ ମୁଣ୍ଡରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳେ ଟଳି ପଡ଼ିଥିଲେ । କିଛି ପଥଚାରୀ ତାଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ କହିଛି ଯେ, ହତ୍ୟା ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାସ୍ଥଳରୁ ତିନି ରାଉଣ୍ଡ ଗୁଳି ଜବତ ହୋଇଛି ।
ସେପଟେ ଘଟଣା ସମ୍ପର୍କରେ ଜାଣିବା ପରେ ଅଂଶୁଲଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ଭଉଣୀ ତାଙ୍କ ଭାଇର ମୃତଦେହକୁ ଯଥାଶୀଘ୍ର ଭାରତ ଆଣିବା ପାଇଁ ପଦକ୍ଷେପ ନେବାକୁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ।


