
ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବ ଆହୁରି ୩ ଦିନ ଯାଏ ରହିବ । ବୁଧବାର ଉତ୍ତର ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ବଜ୍ରପାତ ସହ ପବନ ଆଶଙ୍କା ଅଛି । ସ୍ଥାନେ ସ୍ଥାନେ କୁଆପଥର ମାଡ଼ ବି ହେବ ।ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁରର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା, ବଜ୍ରପାତ ସହ ୫୦-୬୦ କିମି ବେଗରେ ପବନ ଏବଂ କୁଆପଥର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଉ କେତେକ ଜିଲ୍ଲାର ଗୋଟିଏ ଦୁଇଟି ୪୦/୫୦ କିମି ପବନ ସହ ବଜ୍ରପାତ ହୋଇପାରେ । କିଛି ସ୍ଥାନରେ ୩୦-୪୦ କିମି ବେଗରେ ପବନ ସହ ବର୍ଷା, ଘଡ଼ଘଡ଼ି ଆଶଙ୍କା ଅଛି ।
୧୦ ତାରିଖ ପରେ କାଳବୈଶାଖୀ କମିବା ସହ ରାଜ୍ୟକୁ ପୁଣି ଫେରିବ ତାତି ପ୍ରକୋପ । ଆସନ୍ତା ୧୧ ତାରିଖରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ବଲାଙ୍ଗିରରେ ତାତି ପୁଣି ୪୦ ଡିଗ୍ରୀ ସେଲସିୟସ୍ ଛୁଇଁପାରେ । ଆଉ କେତେକ ସ୍ଥାନରେ ପାରଦ ୩୯ ଡିଗ୍ରୀ ପାଖାପାଖି ରହିବ । ଉପକୂଳରେ ୧୧ରେ ଭୁବନେଶ୍ୱର ତାପମାତ୍ରା ୩୭ ଓ ଭଦ୍ରକ ୩୮ ଛୁଇଁପାରେ । ମଙ୍ଗଳବାର କେନ୍ଦୁଝରରେ ସାଂଘାତିକ ରୂପ ଦେଖାଇଥିଲା କାଳବୈଶାଖୀ । ଦିନ ପ୍ରାୟ ୧ଟାରୁ ଦେଢ଼ ଘଣ୍ଟା ପର୍ୟ୍ୟନ୍ତ ପାଟଣା ଓ ସାହାରପଡା ବ୍ଲକ୍ର ୬ରୁ ୭ଟି ପଞ୍ଚାୟତରେ ବର୍ଷା ପବନ ଓ କୁଆପଥର ମାଡ଼ ହୋଇଥିଲା । ପାଟଣା, ଏରେଣ୍ଡେଇ, ମୂଷାଖରୀ, ଡୁମୁରିଆ, ମିରିଗିଖୋଜି, ସରାସକୋଲା ପଞ୍ଚାୟତର ଶହ ଶହ ଖପର ଘର, ଟାଇଲ ଓ ଆଜବେଷ୍ଟସ, ଟିଣ ଛପର ଘର କୁଆପଥର ମାଡରେ ଭାଙ୍ଗି ରୁଜି ଯାଇଥିଲା । ଏପରିକି ୫୦୦ ଗ୍ରାମରୁ ୧ କେଜି ଓଜନର କୁଆପଥର ପଡିବାରୁ ଅନେକ ଗାଡ଼ିମୋଟର ଭାଙ୍ଗିଥିବାବେଳେ ପନିପରିବା ଚାଷ ନଷ୍ଟ ହୋଇଛି । ଲୋକେ କ୍ଷତିପୂରଣ ଦାବିରେ ପାଟଣା ତହସିଲ ଘେରାଉ କରିଥିଲେ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର, କଣ୍ଟାବଣିଆ ଏବଂ ପର୍ଜଙ୍ଗରେ ବି ବର୍ଷା, ପବନ ସାଙ୍ଗକୁ ପ୍ରାୟ ଘଣ୍ଟାଏ କାଳ କୁଆପଥର ମାଡ଼ ହୋଇଥିଲା । ମୟୂରଭଞ୍ଜର ଠାକୁରମୁଣ୍ଡା ଓ ବିଶୋଇ ସହ ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱରରେ ବି ବର୍ଷା, ପବନ ସହ କେତେକ ସ୍ଥାନରେ କୁଆପଥର ବର୍ଷିଥିଲା।




