
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ସମେତ ବିଭିନ୍ନ ଜିଲ୍ଲାରେ ଅବିରତ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ିବା ସହ ଅନେକ ଅଞ୍ଚଳରେ ବନ୍ୟାଜଳ ପଶିଛି । ବୈତରଣୀ, ବୁଢ଼ାବଳଙ୍ଗ, ସାଳନ୍ଦୀ ଓ ଜଳକା ନଦୀର ଜଳସ୍ତର ବିପଦସଙ୍କେତ ଉପରେ ଅବା ନିକଟରେ ପ୍ରବାହିତ ହେଉଥିବାରୁ ନଦୀକୂଳିଆ ଅଞ୍ଚଳରେ ଆଶଙ୍କା ବଢ଼ିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତର ରୂପ ନେଇଛି ଏବଂ ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ବନ୍ୟାଜଳ ସହର ଓ ଛୋଟ ବଡ଼ ସହରାଞ୍ଚଳରେ ପଶିବା ଯୋଗୁଁ ଅନେକ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହୋଇଛି । ରାଉରକେଲା, କେନ୍ଦୁଝର, ବାଲେଶ୍ୱର, ଆନନ୍ଦପୁର ଓ ବାରିପଦାର ବିଭିନ୍ନ ଅଞ୍ଚଳରେ ଗୁରୁତର ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଅନେକ ସ୍ଥାନରେ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବାରୁ ସାଧାରଣ ଲୋକଙ୍କ ଜୀବନଯାତ୍ରା ଦୁର୍ବିସହ ହୋଇପଡ଼ିଛି ।
ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହୋଇଥିବା ପ୍ରବଳ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି । ରାଉରକେଲା ସହରର ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ବହୁ ଘରେ ବର୍ଷାଜଳ ପଶିଛି । ରାସ୍ତାଘାଟରେ ଆଣ୍ଠୁଏ ଓ ଅନେକ ସ୍ଥାନରେ ତା’ଠାରୁ ଅଧିକ ପାଣି ଜମିଥିବାରୁ ଯାତାୟାତ ବ୍ୟାହତ ହୋଇଛି । ସହରର ଅନେକ ବସ୍ତି ଅଞ୍ଚଳ ମଧ୍ୟ ପାଣିରେ ବୁଡ଼ିଯାଇଛି । ରାଉରକେଲାର ବେଦବ୍ୟାସ ପାଣ୍ଡେ କଲୋନୀରେ ଏକ ଦୁଇ ମହଲା ଘରର ତଳ ମହଲା ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯିବାରୁ ୯ ଜଣିଆ ପରିବାର ଜୀବନ ବଞ୍ଚାଇବା ପାଇଁ ଦ୍ୱିତୀୟ ମହଲାର ଛାତ ଉପରକୁ ଚାଲିଯାଇଥିଲେ । ପରିବାରରେ ଦୁଇ ଜଣ ଶିଶୁ ମଧ୍ୟ ଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାତ ଉପରୁ ୯ ଜଣଙ୍କୁ ଉଦ୍ଧାର କରିଛନ୍ତି । ସେହିପରି ସେକ୍ଟର-୬ ଅଞ୍ଚଳରେ ମଧ୍ୟ ଜଳବନ୍ଦୀ ହୋଇ ରହିଥିବା ୪ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।
କୁଆଁରମୁଣ୍ଡା, ଲାଠିକଟା ଓ ସୁନ୍ଦରଗଡ଼ର ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ଅଗ୍ନିଶମ କର୍ମଚାରୀଙ୍କୁ ପଠାଯାଇ ଜଳବନ୍ଦୀ ଅଞ୍ଚଳରୁ ପାଣି ନିଷ୍କାସନ କରାଯାଉଛି । ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବାରୁ ମଧ୍ୟ ଯାତାୟାତ ପ୍ରଭାବିତ ହୋଇଛି । ରାଉରକେଲାରେ ଜଣେ ୩୩ ବର୍ଷୀୟା ମହିଳା ସରସ୍ୱତୀ ସାହୁ ଇନ୍ଭର୍ଟର ସହ ସଂଯୁକ୍ତ ଏକ ବିଦ୍ୟୁତ ପଏଣ୍ଟ ବନ୍ଦ କରୁଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ସୁନ୍ଦରଗଡ ଜିଲ୍ଲାର ଟାଙ୍ଗରପାଲି ଅଞ୍ଚଳରେ ମଧ୍ୟ ବର୍ଷାଜଳର ପ୍ରଖର ସ୍ରୋତରେ ଜଣେ ବ୍ୟକ୍ତି ମୋଟରସାଇକେଲ ସହ ଭାସିଯାଇଥିଲେ । ପ୍ରାୟ ୨୦ ମିନିଟ୍ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।
ତୁହାକୁ ମଧ୍ୟ ବର୍ଷା ପ୍ରଭାବ ରେଳ ଚଳାଚଳ ଉପରେ ପଡ଼ିଛି । ଚକ୍ରଧରପୁର ରେଳ ଡିଭିଜନ୍ ଅଧୀନ ରାଉରକେଲା-ରାଜଗାଙ୍ଗପୁର ମଧ୍ୟରେ ତିନୋଟି ସ୍ଥାନରେ ରେଳଧାରଣା ତଳୁ ମାଟି ଧୋଇଯାଇଛି । ପ୍ରବଳ ବର୍ଷା ଯୋଗୁଁ ଟ୍ରେନ ଟ୍ରାକ୍ ତଳ ମାଟି ଧୋଇଯିବାରୁ ରେଳ ଚଳାଚଳରେ ସୁରକ୍ଷା ଆଶଙ୍କା ସୃଷ୍ଟି ହୋଇଥିଲା । ସତର୍କତାମୂଳକ ପଦକ୍ଷେପ ଭାବେ ସକାଳ ୯ଟାରୁ ରାଉରକେଲା-ରାଜଗାଙ୍ଗପୁର ମଧ୍ୟରେ ଅପ୍ ଲାଇନ୍ରେ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି । ତୃତୀୟ ଲାଇନ୍ରେ ଟ୍ରେନ୍ ଚଳାଚଳ ଜାରି ରହିଥିଲେ ମଧ୍ୟ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଟ୍ରେନ୍ ଚଳାଚଳକୁ ସୀମିତ କରାଯାଇଥିଲା । ଫଳରେ ଏକାଧିକ ଟ୍ରେନ୍କୁ ନିୟନ୍ତ୍ରଣ କରାଯିବା ସହ କେତେକ ଟ୍ରେନ୍ ବିଳମ୍ବିତ ହୋଇଥିଲା । ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା
ଉତ୍ତର ଓଡ଼ିଶାର ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ନଦୀଗୁଡ଼ିକର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ବାଲେଶ୍ୱରରେ ଜଳକା ଓ ଅନ୍ୟ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ନଦୀକୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି । ଆନନ୍ଦପୁର ଅଞ୍ଚଳରେ ବୈତରଣୀର ଜଳସ୍ତର ବୃଦ୍ଧି ଯୋଗୁଁ ତଳିଆ ଅଞ୍ଚଳ ପ୍ରଭାବିତ ହୋଇଛି ।ଅବିରତ ବର୍ଷା ଓ ନଦୀଗୁଡ଼ିକରେ ବଢ଼ୁଥିବା ଜଳସ୍ତର ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା ଆହୁରି ବଢ଼ିଛି । ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଥିବାବେଳେ, ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।




