
ଭୁବନେଶ୍ୱର: ଓଡ଼ିଶାର ଉପକୂଳ ଅଞ୍ଚଳକୁ ଉପକୂଳ କ୍ଷୟରୁ ସୁରକ୍ଷା, ଜଳବାୟୁ ପରିବର୍ତ୍ତନଜନିତ ବିପଦର ମୁକାବିଲା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସ୍ଥାୟୀ ଆର୍ଥିକ ବିକାଶକୁ ସୁଦୃଢ଼ କରିବା ନେଇAdaptive Resilience Investment in Coastal Systems on Economics (ARISE)ପ୍ରକଳ୍ପ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ବୈଠକରେ ଅଧ୍ୟକ୍ଷତା କରିଥିଲେ।
ମନ୍ତ୍ରୀ ଶ୍ରୀ ପୂଜାରୀ ଉପକୂଳ ସୁରକ୍ଷା ସହ ପରିବେଶ ସଂରକ୍ଷଣ, ଉପକୂଳବାସୀଙ୍କ ଜୀବିକା, ଜୈବବିବିଧତା ଓ ଆର୍ଥିକ ସ୍ଥିରତାକୁ ସୁଦୃଢ଼ କରିବା ଉପରେ ଜୋର ଦେଇଥିଲେ। Asian Development Bank (ADB) ଏବଂ OSDMAର ମିଳିତ ପ୍ରୟାସରେ ଓଡ଼ିଶାର୫୭୩କିଲୋମିଟରସମୁଦ୍ରତଟରେଖାକୁ ନେଇ ପ୍ରାଥମିକ ତଦନ୍ତ କରାଯାଇଛି। ଏହା ଆଧାରରେ ଉପକୂଳ କ୍ଷୟ ରୋକିବା, ନଦୀ ଶଯ୍ୟାରୁ ଆବର୍ଜନା ଓ ପଟୁମାଟି ହଟାଇବା ଏବଂ ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକର ଜୀବନ ଓ ଜୀବିକା ସୁରକ୍ଷା ନେଇ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ ହୋଇଛି।
କେରଳ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ମଧ୍ଯ ADB ସମ୍ପୃକ୍ତ ରାଜ୍ୟସରକାରଙ୍କ ସହ ମିଶି ଉପକୂଳ ସୁରକ୍ଷା ପ୍ରକଳ୍ପ ସଂକ୍ରାନ୍ତରେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ଇତିମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହୋଇଛି l ଓଡ଼ିଶା ଉପକୂଳ ନେଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହେବା ପରେ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଇ ଉପକୂଳ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି l
ବୈଠକରେ ସମଗ୍ର ଉପକୂଳରେ ଦେଖାଦେଉଥିବାCoastal Erosionସମସ୍ୟାର ଦୀର୍ଘମିଆଦୀ ସମାଧାନ ନେଇ ବୈଜ୍ଞାନିକ ଓ ପ୍ରଯୁକ୍ତିଭିତ୍ତିକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଏଥିସହ ‘ବ୍ଲୁ ଇକୋନୋମି’ର ବିକାଶ, ସାମୁଦ୍ରିକ ସମ୍ପଦର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଏବଂ ଉପକୂଳବାସୀଙ୍କ ପାଇଁ ନୂତନ ଆର୍ଥିକ ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପଦକୁ ଦୃଷ୍ଟିରେ ରଖିClimate-Resilient Coastal Tourismର ବିକାଶ ନେଇ ମଧ୍ୟ ବିଚାରବିମର୍ଶ ହୋଇଥିଲା। ଉପକୂଳ ସୁରକ୍ଷା ସହିତSediment Managementଏବଂ ପ୍ରାକୃତିକ ଉପକୂଳ ପ୍ରତିରୋଧକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ARISE ପ୍ରକଳ୍ପର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପ୍ରତିଷ୍ଠାନଗତ ସୁଦୃଢ଼ୀକରଣ, ଦକ୍ଷତା ବିକାଶ ଓ ଆଧୁନିକ ପ୍ରଯୁକ୍ତିର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି। ଉପକୂଳ କ୍ଷୟର ନିରୀକ୍ଷଣ, ବିପଦର ପୂର୍ବାନୁମାନ ଓ ତଥ୍ୟଭିତ୍ତିକ ନିଷ୍ପତ୍ତି ପାଇଁ ଏକ ସମନ୍ୱିତ ବୈଷୟିକ ନିରୀକ୍ଷଣ ବ୍ୟବସ୍ଥା ବିକାଶ ଉପରେ ମଧ୍ୟ ଜୋର ଦିଆଯାଇଛି।ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ପରେ ପ୍ରକଳ୍ପକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରି ଓଡ଼ିଶାର ଉପକୂଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରାଯିବ। ବୈଠକରେ ଏସଆରସି ତଥା OSDMA ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ୍, OSDMAର ବରିଷ୍ଠ ଅଧିକାରୀ ଏବଂ ADBର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।




