
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରାଜ୍ୟର ଚାଷୀଙ୍କୁ ଆଶ୍ୱସ୍ତ କରିବା ଭଳି ସୂଚନା ସାମ୍ନାକୁ ଆସିଛି । ଏଗ୍ରିଷ୍ଟାକକୁ ନେଇ ଚାଷୀଙ୍କୁ ଆଶ୍ୱସ୍ତ କରିଛନ୍ତି କ୍ୟାବିନେଟ । ରାଜ୍ୟରେ ଚଳିତ ବର୍ଷ ପୂର୍ବବର୍ଷ ଭଳି ଚାଲିବ PPAS ଢାଞ୍ଚାରେ ପଞ୍ଜୀକରଣ । ଏହାସହ ରାଜ୍ୟ କ୍ୟାବିନେଟ ୬ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।
ରାଜ୍ୟରେ ଏଗ୍ରିଷ୍ଟାକ ଫାର୍ମର୍ସ ରେଜିଷ୍ଟ୍ରି ପଞ୍ଜୀକରଣକୁ ନେଇ ଚାଷୀଙ୍କ ମଧ୍ୟରେ ଦେଖା ଦେଇଥିବା ଆଶଙ୍କା ଦୂର କରିଛନ୍ତି ରାଜ୍ୟ ସରକାର । ଏଗ୍ରିଷ୍ଟାକ ପଞ୍ଜୀକରଣରେ ସମସ୍ୟା ହେଲେ ଧାନ ବିକ୍ରି ପାଇଁ PPASରେ ପଞ୍ଜୀକରଣ କରିବାରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗକୁ ମନ୍ତ୍ରିମଣ୍ଡଳ ଗୁରୁତର ସହ ନେଇଛି । ଏହି ପ୍ରସଙ୍ଗରେ ମନ୍ତ୍ରିମଣ୍ଡଳରେ ବିସ୍ତୃତ ଆଲୋଚନା ହୋଇଛି । ଆଲୋଚନା ପରେ ମନ୍ତ୍ରୀ ମଣ୍ଡଳ ସ୍ପଷ୍ଟ କରାଯାଇଛି, ଏଗ୍ରିଷ୍ଟାକ ଫାର୍ମର୍ସ ରେଜିଷ୍ଟ୍ରି ପଞ୍ଜୀକରଣ ଏବଂ ଧାନ କ୍ରୟ ପାଇଁ PPAS ପଞ୍ଜୀକରଣ ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ନାହିଁ । ଏଗ୍ରିଷ୍ଟାକରେ ଚାଷୀଙ୍କ ପଞ୍ଜୀକରଣ ହୋଇନଥିବା କିମ୍ବା ପଞ୍ଜୀକରଣରେ ବିଳମ୍ବ ହେବା ଯୋଗୁଁ ଧାନ କ୍ରୟ ପ୍ରଭାବିତ ହେବ ନାହିଁ । ତେଣୁ ଏଗ୍ରିଷ୍ଟାକ ଫାର୍ମର୍ସ ରେଜିଷ୍ଟ୍ରିରେ ନିଜର ସ୍ଥିତିକୁ ନେଇ ଚାଷୀମାନେ ଚିନ୍ତିତ ନହେବାକୁ ସରକାର ସ୍ପଷ୍ଟ କରିଛନ୍ତି ।ଚଳିତ ବର୍ଷ ଧାନ କ୍ରୟ ପାଇଁ ଚାଷୀଙ୍କ PPAS ପଞ୍ଜୀକରଣ ପ୍ରକ୍ରିୟା ପୂର୍ବବର୍ଷ ଭଳି ଜାରି ରହିବ । ଏଗ୍ରିଷ୍ଟାକ ଫାର୍ମର୍ସ ରେଜିଷ୍ଟ୍ରିର ସ୍ଥିତିକୁ ନେଇ ଧାନ ବିକ୍ରି କରିବାରେ ଚାଷୀଙ୍କୁ କୌଣସି ଅସୁବିଧା ହେବ ନାହିଁ ।
ସରକାରଙ୍କ ଏହି ସ୍ପଷ୍ଟୀକରଣ ପରେ ଏଗ୍ରିଷ୍ଟାକ ପଞ୍ଜୀକରଣ ଓ ଧାନ କ୍ରୟକୁ ନେଇ ଚାଷୀଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱ ଦୂର ହେବ । ଏଗ୍ରିଷ୍ଟାକ ପଞ୍ଜୀକରଣରେ ସମସ୍ୟା ଥିଲେ ମଧ୍ୟ ଚାଷୀଙ୍କ ଧାନ କ୍ରୟ ପାଇଁ PPAS ପଞ୍ଜୀକରଣ ନିର୍ଦ୍ଧାରିତ ପ୍ରକ୍ରିୟାରେ ଚାଲିବ ।




