
ଭୁବନେଶ୍ୱର: ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆ ଠାରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍ଯାପନ ଅବସରରେ ପାଣି ପଞ୍ଚାୟତ ଗୁଡିକର ନିୟମ ଅନୁଯାୟୀ ନିର୍ବାଚନ ଓ କାଗଜ ପତ୍ର ଅଡିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପାଣି ପଞ୍ଚାୟତ ଗୁଡିକୁ ସଶକ୍ତ କରି ଏଗୁଡିକୁ କୃଷି ବିପଣନ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଉପସ୍ଥିତ କୃଷକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ”କୃଷକମାନେ ହେଉଛନ୍ତି ରାଜ୍ୟ ବିକାଶର ମୂଳ ସୂତ୍ରଧର । ସେମାନେ ସମସ୍ତଙ୍କ ମୁହଁରେ ଆହାର ଯୋଗାଉଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣମାନଙ୍କୁ ଅନ୍ନଦାତା ଭାବେ ସମ୍ମାନିତ କରି ଆସିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ୟ୍ୟକାରୀ କରୁଛନ୍ତି । ରାଜ୍ୟରେ କୃଷିର ବିକାଶ ପାଇଁ ଚଳିତ ବର୍ଷ କୃଷି ବଜେଟରେ ୩୩ ହଜାର ୯୧୯ କୋଟି ଟଙ୍କା ପ୍ରାବଧାନ କରାଯାଇଛି । କୃଷକମାନଙ୍କ ସୁଖଦୁଃଖରେ ଆମ ସରକାର ଅଛନ୍ତି । ଅଦିନିଆ ବର୍ଷାକୁ ଏକ ବିପର୍ୟ୍ୟୟ ଭାବେ ଗ୍ରହଣ କରି ଆମ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ୨୯୧ କୋଟି ରୁ ଅଧିକ ଟଙ୍କା ସହାୟତା ଯୋଗାଇଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୬.୬୬ ଲକ୍ଷ ଚାଷୀ ଏହି ସହାୟତା ପାଇବେ ।
ଏଥିସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳସେଚନ ଏବଂ କୃଷି ବୈଜ୍ଞାନିକଙ୍କ ଗବେଷଣା ସହିତ ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆଜି ଆମେ ୧୪୦ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇ ପାରୁଛୁ ଏବଂ ବିଦେଶକୁ ମଧ୍ୟ ରପ୍ତାନୀ କରିପାରୁଛୁ । ଏଥିପାଇଁ ଚାଷୀର ଜମିକୁ ଜଳଯୋଗାଣ ଅତ୍ୟନ୍ତ ଆବଶ୍ୟକ । ତେଣୁ, ଜଳସେଚନର ସମସ୍ତ ପ୍ରକଳ୍ପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।




