
ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ ମଧ୍ୟ ସାମିଲ ଅଛନ୍ତି। ପରିବାରର ୭ ଜଣ ସଦସ୍ୟ ଶୋଇଥିବା ବେଳେ ଆକସ୍ମିକ ଭାବେ ଘରଟି ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଅମନ (୨୮) ନାମକ ଜଣେ ଯୁବକ ଭଗ୍ନାବଶେଷ ତଳୁ କୌଣସି ପ୍ରକାରେ ବାହାରି ପଡ଼ୋଶୀଙ୍କୁ ଖବର ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସମସ୍ତଙ୍କୁ ମେଡିକାଲ ନେଇଥିଲେ ହେଁ ସେଠାରେ ୬ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି।




