
ବାଲେଶ୍ୱର: ଜଣେ ଛାତ୍ରୀଙ୍କୁ ନିର୍ୟାତନା ଦେବା ଅଭିଯୋଗରେ ଫକୀର ମୋହନ ସ୍ୱୟଂଶାସିତ କଲେଜର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍ଓଡି) ତଥା ଆସିଷ୍ଟାଣ୍ଟ ପ୍ରଫେସର ଡ. ସନ୍ତୋଷ କୁମାର ନାୟକଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।ଏହି ମାମଲାକୁ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପାଖକୁ ପଠାଇ ଦିଆଯାଇଛି ଓ ଏହାର ତଦନ୍ତ କରିବାକୁ କୁହାଯାଇଛି। ଏହା ସହିତ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।ଏପ୍ରିଲ ୧୫ ତାରିଖରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସମ୍ମୁଖରେ ହାଜର ହୋଇ ନିଜ ବୟାନ ଦେବାକୁ ଅଭିଯୋଗ କରିଥିବା ଛାତ୍ରୀଙ୍କୁ କୁହାଯାଇଛି। ତେବେ ସେହି ଛାତ୍ରୀ ଜଣଙ୍କ କିଏ, ତାହା ଜଣାପଡ଼ିନି।ସୂଚନା ଅନୁଯାୟୀ, ଆସିଷ୍ଟାଣ୍ଟ ପ୍ରଫେସର ଡ. ସନ୍ତୋଷ କୁମାର ନାୟକ ନିର୍ୟାତନା ଦେଉଥିବା ନେଇ ବାଲେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟକୁ ଏକ ସ୍ପୀଡ୍ ପୋଷ୍ଟ ମାଧ୍ୟରେ ଅଭିଯୋଗ ପଠାଯାଇଥିଲା।ଅଭିଯୋଗ ପାଇବା ପରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କଲେଜକୁ ଯାଇ ଘଟଣା ସଂପର୍କରେ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିଥିଲେ। ଅଭିଯୋଗ ପାଇବା ପରେ ଆସିଷ୍ଟାଣ୍ଟ ପ୍ରଫେସର ଡ. ସନ୍ତୋଷ କୁମାର ନାୟକଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଥିବା ନେଇ କଲେଜ ଅଧ୍ୟକ୍ଷ ତାଙ୍କୁ ଅବଗତ କରାଇଥିଲେ। ଏହା ସହିତ ମାମଲାର ତଦନ୍ତ କରିବାକୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ କୁହାଯାଇଥିବା ଅଧ୍ୟକ୍ଷ କହିଥିଲେ। ଏହି ମାମଲାର ସ୍ଥିତାବସ୍ଥା ସଂପର୍କରେ ବାଲେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି।




