
ନୂଆଦିଲ୍ଲୀ: ଜେନ୍ ଜି ଅର୍ଥାତ୍ ଯୁବବର୍ଗଙ୍କ ସହ ଯୋଡ଼ି ହେବା ଲାଗି ବିଜେପି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ଏଥିରେ ବିଜେପି ଅଧ୍ୟକ୍ଷ ନୀତିନ ନବୀନ, ରାଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ, ବିନୋଦ ତାୱଡ଼େ, ଗୁଜରାଟର ମନ୍ତ୍ରୀ ହର୍ଷ ସାଂଘଭି ଏବଂ ଛତିଶଗଡ଼ ମନ୍ତ୍ରୀ ଓପି ଚୌଧରୀଙ୍କ ଭଳି ପ୍ରମୁଖ ନେତା ସାମିଲ ଅଛନ୍ତି । ଏହି ଟିମ୍ ‘ଯୁବ ସମ୍ବାଦ’ ଅଭିଯାନ ଜରିଆରେ ୧୪ରୁ ୨୫ ବର୍ଷୀୟ ଯୁବବର୍ଗଙ୍କ ସହ ଯୋଡ଼ିହେବ । ଆଲୋଚନା ଜରିଆରେ ଜେନ୍-ଜିଙ୍କ ବିଚାରଧାରା, ବିଭିନ୍ନ ସମସ୍ୟା ଏବଂ ଆକାଂକ୍ଷାକୁ ବୁଝିବାକୁ ଟିମ୍ ଉଦ୍ୟମ କରିବ । ଯୁବବର୍ଗଙ୍କ ନିକଟରେ ବିଜେପି ନେତାଙ୍କୁ ସିଧା ପ୍ରଶ୍ନ କରିବା ଏବଂ ନିଜ କଥା ରଖିବାର ସୁଯୋଗ ବି ମିଳିବ । ଖୁବ୍ଶୀଘ୍ର ଅଭିଯାନର କାର୍ଯ୍ୟସୂଚୀ ସଂପର୍କରେ ସୂଚନା ଜାରି ହେବ ବୋଲି ଜଣାପଡି଼ଛି ।
ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଶନିବାର ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ୬୫ ସଦସ୍ୟ ବିଶିଷ୍ଟ ନୂଆ ରାଷ୍ଟ୍ରୀୟ ଟିମ୍ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ କଂଗ୍ରେସର ସମ୍ପୂର୍ଣ୍ଣ ବନ୍ଦେ ମାତରମ ନ ଗାଇବା ନିଷ୍ପତ୍ତି ବିରୋଧରେ ପ୍ରସ୍ତାବ ଗୃହୀତ ହୋଇଛି । ଏଥିସହ ଆଗାମୀ ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତି, ବୁଥ୍ ଏବଂ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ କରିବା, ଦଳୀୟ କାର୍ଯ୍ୟକ୍ରମ, ବିରୋଧୀ ଦଳଙ୍କୁ ଘେରିବା, ସରକାରଙ୍କ ଯୋଜନାକୁ ଜନତାଙ୍କ ନ ପହଞ୍ଚାଇବା ଭଳି ରଣନୀତି ଉପରେ ବ୍ୟାପକ ଚର୍ଚ୍ଚା ହୋଇଛି । ନୀତିନ ନବୀନ କହିଥିଲେ ଯେ ବିଜେପି ବନ୍ଦେ ମାତରମ୍ର ଇତିହାସ ଏବଂ ମହତ୍ତ୍ୱ ସାରା ଦେଶରେ ପହଞ୍ଚାଇବା ଲାଗି ଅଭିଯାନ ଚଳାଇବ । ବିଶେଷକରି ଯୁବବର୍ଗଙ୍କ ମଧ୍ୟରେ ସଚେତନତା ଅଭିଯାନ ଚଳାଯିବ ଯେପରିକି ନୂଆ ପିଢ଼ି ବନ୍ଦେ ମାତରମ୍ ଏବଂ ସେଥିସହ ଜଡି଼ତ ଇତିହାସକୁ ଜାଣିପାରିବେ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ପହଞ୍ଚି ଦଳର ନୂଆ ରାଷ୍ଟ୍ରୀୟ ଟିମ୍ ସହ ସାକ୍ଷାତ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ଏ ସଂପର୍କରେ ସୂଚନା ଦେଇଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ଦଳୀୟ ସହଯୋଗୀଙ୍କ ସହ ଫଳପ୍ରଦ ବୈଠକ ହୋଇଛି । ଏଭଳି ବୈଠକ ଦଳକୁ ସୁଦୃଢ଼ କରିବା ଏବଂ ଜନତାଙ୍କ ସହ ଯୋଡ଼ିହେବା ଲାଗି ଗଭୀର ଆଲୋଚନା ପାଇଁ ଏକ ମଞ୍ଚ ଭଳି କାର୍ଯ୍ୟ କରିଥାଏ ।
ସୂଚନାଥାଉକି, ଅଗଷ୍ଟ ୧୯ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ୧୯୩୭ର ନିଷ୍ପତ୍ତି ଉପରେ କାଏମ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହି ନିଷ୍ପତ୍ତି ଅନୁସାରେ କଂଗ୍ରେସ ତାର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ର ପୂର୍ଣ୍ଣ ୬ ପଦ ଗାନ କରିବା ବଦଳରେ କେବଳ ୨ ପଦ ଗାଇବାକୁ ନିଷ୍ପତ୍ତି ନେଇଥିଲା । କଂଗ୍ରେସର ଏଭଳି ନିଷ୍ପତ୍ତିକୁ ବିଜେପି ବିରୋଧ କରିବା ସହ ଦେଶଦ୍ରୋହ ବୋଲି କହିଥିଲା




