
କ୍ରିକେଟରରୁ ରାଜନେତା ବନିଥିବା ୟୁସୁଫ ପଠାନଙ୍କୁ ବଡ଼ ବୋନସ। ମମତା ବାନାର୍ଜୀଙ୍କ ଟିଏମସି ଛାଡ଼ି ଏନଡିଏକୁ ସମର୍ଥନ କରିଥିବା ୟୁସୁଫ ପଠାନଙ୍କୁ ମିଳିଛି ଫାଇଦା। ଦୀର୍ଘ ୧୪ ବର୍ଷ ହେଲା ସେ ଯେଉଁ ଜମିକୁ ପାଇବା ପାଇଁ ଉଦ୍ୟମ କରୁଥିଲେ ଏବେ ଗୁଜରାଟ ସରକାର ଉପହାର ଆକାରରେ ତାଙ୍କୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ବଦୋଦରାରେ ଥିବା ପଠାନ ପରିବାରର ଘର ନିକଟ ପ୍ଲଟକୁ ୟୁସୁଫ ୨୦୧୨ରୁ ନିଜ ନାଁରେ କରିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କୁ ଅନେକ ଆଇନ ଓ ପ୍ରଶାସନିକ ଯୁଦ୍ଧ ମଧ୍ୟ ଲଢ଼ିବାକୁ ପଡ଼ିଥିଲା। ତଥାପି ସେ ଏହାକୁ ହାସଲ କରିପାରି ନଥିଲେ। କିନ୍ତୁ ଟିଏମସି ଛାଡ଼ିବାର କିଛି ମାସ ପରେ ଖୋଦ ଗୁଜରାଟ ସରକାର ୟୁସୁଫଙ୍କୁ ଉକ୍ତ ଜମି ଉପହାର ଆକାରରେ ଦେବାକୁ ଯାଉଛନ୍ତି। କ୍ରୀଡ଼ାବିତଙ୍କୁ ଜମି ଆବଣ୍ଟନ ନୀତି ଆଧାରରେ ଜମିର କିଛି ଅଂଶ ୟୁସୁଫଙ୍କୁ ମିଳିବ।
ଚଳିତ ବର୍ଷ ଜୁନରେ ୟୁସୁଫ ପଠାନ ଓ ଟିଏମସିର ଆଉ ୧୯ ଜଣ ସାଂସଦ ବଦ୍ରୋହ ଘୋଷଣା କରିଥିଲେ। ସେମାନେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ କରିବା ପାଇଁ ଟିଏମସି ଛାଡ଼ି ଅଳ୍ପ ପରିଚିତ ଏନସିପିଆଇରେ ଯୋଗ ଦେଇଥିଲେ। ୨୦୨୪ରେ ୟୁସୁଫ ବେଙ୍ଗଲର ବେରହମପୁର ଲୋକସଭା ଆସନରୁ ଟିଏମସି ଟିକେଟରେ ଜିତିଥିଲେ। ହେଲେ ଏବେ ସେ ଏନଡିଏ ପଟେ ରହିଛନ୍ତି।
ଏବେ ଏହାର ଫାଇଦା ତାଙ୍କୁ ମିଳିଛି। ବଦୋଦରାର ତାଣ୍ଡାଲଜା ଅଞ୍ଚଳରେ ଥିବା ପଠାନ ପରିବାରର ଘର ରହିଛି। ଏହି ଘରକୁ ଲାଗି ରହିଥିବା ପ୍ରାୟ ୧ ହଜାର ବର୍ଗ ମିଟର ସରକାରୀ ଜମି ରହିଛି। ପ୍ରଥମେ ୟୁସୁଫ ଉକ୍ତ ପ୍ଲଟକୁ କିଣିବା ପାଇଁ ୨୦୧୨ରେ ଆବେଦନ କରିଥିଲେ। ସେ ଜଣେ ସେଲିବ୍ରେଟି ହୋଇଥିବାରୁ ନିଜର ସୁରକ୍ଷା ପାଇଁ ପାଖ ପ୍ଲଟକୁ ହାତେଇବାକୁ ଚାହିଁଥିଲେ।
ହେଲେ ତାଙ୍କୁ ଅନେକ ଆଇନଗତ ଲଢ଼େଇ ଲଢ଼ିବାକୁ ପଡ଼ିଥିଲା। ତଥାପି କୌଣସି ସୁଫଳ ମିଳି ନଥିଲା। ହେଲେ ଏବେ ଉକ୍ତ ପ୍ଲଟର ଅଧା ଅଂଶ ସରକାର ୟୁସୁଫଙ୍କୁ ଜଣେ ଅନ୍ତର୍ଜାତୀୟ ଖେଳାଳି ଭାବେ ବିବେଚନା କରି ଉପହାର ଆକାରରେ ଦେବେ। ବାକି ଅଧା ଅଂଶ ପାଇଁ ୟୁସୁଫ ପଠାନଙ୍କୁ ଆବଶ୍ୟକ ଟଙ୍କା ଦେବାକୁ ପଡ଼ିବ।
ମିଳିଥିବା ସୂଚନା ଅନୁସାରେ, ଗୁଜରାଟ ସରକାର ବିବାଦୀୟ ୯୭୮ ବର୍ଗ ମିଟର ଜମିକୁ ସାଂସଦ ତଥା ପୂର୍ବତନ କ୍ରିକେଟ ୟୁସୁଫଙ୍କୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶନାମା ସହରର ପୌର ସଂସ୍ଥାକୁ ଜାରି କରାଯାଇଛି। ଚୂଡ଼ାନ୍ତ ମୋହର ପରେ ୟୁସୁଫ ତାଙ୍କ ଘରକୁ ଲାଗି ରହିଥିବା ସରକାରୀ ଜମିର ମାଲିକାନା ହାସଲ କରିବେ।
ଏହି ୯୭୮ ବର୍ଗ ମିଟର ସରକାରୀ ଜମିର ମୂଲ୍ୟ ପ୍ରାୟ ୨୦.୫୩ କୋଟି। ଅର୍ଥାତ ଗୋଟିଏ ବର୍ଗ ମିଟର ଜମିର ଦାମ ୨.୧୦ ଲକ୍ଷ ଟଙ୍କା। ଏହି ୨୦.୫୩ କୋଟିର ଜମିରୁ ସରକାର ୟୁସୁଫଙ୍କୁ ଅଧା ଉପହାରରେ ଦେବେ। ବାକି ଜମି ପାଇଁ ୟୁସୁଫଙ୍କୁ ୧୦ କୋଟିରୁ ସାମାନ୍ୟ ଅଧିକ ଟଙ୍କା ଦେବାକୁ ପଡ଼ିବ। ଏହା ପୂର୍ବରୁ ପୌର ସଂସ୍ଥାର ଷ୍ଟାଣ୍ଡିଂ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ।
ବଦୋଦରା ପୌର ପରିଷଦ କମିଶନର ଅରୁଣ ବାବୁ କହିଛନ୍ତି ଯେ ସେ ସରକାରଙ୍କ ଅନୁମୋଦନ ସମ୍ପର୍କିତ ବିଜ୍ଞପ୍ତି ପାଇଛନ୍ତି। ଏବେ ଏହି ପ୍ରସ୍ତାବ ପ୍ୟାନେଲ ନିକଟରେ ଉପସ୍ଥାପନ କରାଯିବ। କମିଟି ଅନୁମୋଦନ କରିବା ପରେ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ।
୨୦୧୨ରେ ୟୁସୁଫ ପଠାନ ବଦୋଦରା ପୌର ପରିଷଦକୁ ଚିଠି ଲେଖି ୯୭୮ ବର୍ଗ ମିଟର ଜମି କିଣିବାକୁ ଚାହିଁଥିଲେ। ସେହି ବର୍ଷ ମାର୍ଚ୍ଚ ୩୦ ଓ ଜୁନ ୮ରେ ଏହି ସମ୍ପର୍କରେ ଆଲୋଚନା ହୋଇଥିଲା।
ବିନା ଅକ୍ସନରେ ପୌର ପରିଷଦ ୯୯ ବର୍ଷ ପାଇଁ ଜମି ୟୁସୁଫଙ୍କୁ ଲିଜ୍ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା। ହେଲେ ୨୦୧୪ରେ ରାଜ୍ୟ ସରକାର ଏହାକୁ ଖାରଜ କରିଦେଇଥିଲେ। ସେବେଠାରୁ ୟୁସୁଫ ଆଇନଗତ ଯୁଦ୍ଧ ଲଢ଼ି ଚାଲିଥିଲେ।
୨୦୨୪ରେ ଜମି ଆବଣ୍ଟନ ଅନୁମୋଦନ ପ୍ରସ୍ତାବ ରଦ୍ଦ ହୋଇଥିବାରୁ ପୌର ପରିଷଦ ସେଠାରେ ହୋଇଥିବା ବେଆଇନ ନିର୍ମାଣକୁ ହଟାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ୟୁସୁଫ ଏହାକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
୨୦୨୫ ଅଗଷ୍ଟ ୨୧ରେ କୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲା। ଏଥିଯୋଗୁ ଏକକ ଜଜ ବେଞ୍ଚର ନିର୍ଦ୍ଦେଶକୁ ୟୁସୁଫ ଡିଭିଜନ ବେଞ୍ଚରେ ଚ୍ୟାଲେଞ୍ଜ କରିଥିଲେ।
୨୦୨୬ ଜୁନ ୮ ଶୁଣାଣି ବେଳେ ହାଇକୋର୍ଟ ପ୍ରଶ୍ନବାଣରେ ୟୁସୁଫଙ୍କୁ ଘାଇଲା କରିଥିଲେ।
ସରକାରୀ ଜମିକୁ ବ୍ୟବହାର ପାଇଁ ଅନୁମତି ମିଳି ନଥିଲେ ହେଁ କେମିତି ଏଠାରେ ନିର୍ମାଣ କାମ କରାଯାଇଥିଲା ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ପୌର ପରିଷଦୀ ଅଧିକାରୀଙ୍କ ଭୂମିକାକୁ ମଧ୍ୟ କୋର୍ଟ ସନ୍ଦେହ ଚକ୍ଷୁରେ ଦେଖିଥିଲେ।
ଏହି ସମୟରେ ୟୁସୁଫ ପଠାନଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରିବାକୁ କିଛି ସମୟ ମାଗିଥିଲେ। ଅନ୍ତର୍ଜାତୀୟ କ୍ରିକେଟର୍ସମାନଙ୍କ ପାଇଁ ଗୁଜରାଟ ସରକାରଙ୍କ ଜମି ଆବଣ୍ଟନ ନୀତି କଥା ମଧ୍ୟ କହିଥିଲେ।
ଏସବୁ ଭିତରେ ଅଗଷ୍ଟ ୩୧ରେ ୟୁସୁଫ ନିଜର ଆବେଦନକୁ ହାଇକୋର୍ଟରେ ପ୍ରତ୍ୟାହାର କରି ନେଇଥିଲେ। ଏବେ ଉକ୍ତ ଜମିକୁ ସେ ହାସଲ କରିବାକୁ ଯାଉଛନ୍ତି।







