
ରାଇକିଆ: ରାଇକିଆ ପଂଚାୟତ ସମିତି ଜନଶୁଣାଣୀ ଶିବିର ଶେଷ ପରେ କନ୍ଧମାଳ ଜିଲ୍ଲାରେ ଚାଲିଥିବା “ଟିଚ୍ କନ୍ଧମାଳ” କାର୍ଯ୍ୟକ୍ରମ ଅନ୍ତର୍ଗତ କନ୍ଧମାଳ ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ବିଭୂତି ଭୂଷଣ ମହାପାତ୍ର ରାଇକିଆସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ପରିଦର୍ଶନ ସମୟରେ ସେ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ମଧ୍ୟାହ୍ନ ଭୋଜନର ମାନ, ପରିମଳ ବ୍ୟବସ୍ଥା, ଶ୍ରେଣୀଗୃହର ଭିତ୍ତିଭୂମି ଏବଂ ସାମଗ୍ରିକ ଶିକ୍ଷା ପରିବେଶର ସମୀକ୍ଷା କରିଥିଲେ। ବିଦ୍ୟାଳୟର ବିଭିନ୍ନ କକ୍ଷ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ପାଠପଢ଼ା ଓ ଶିକ୍ଷଣ ସମ୍ପର୍କରେ ପଚାରି ବୁଝିଥିଲେ।
ଏହି ଅବସରରେ ଶିକ୍ଷକମାନଙ୍କ ସହ ଆଲୋଚନା କରି ଶ୍ରୀ ମହାପାତ୍ର ଗୁଣାତ୍ମକ ଶିକ୍ଷା ପ୍ରଦାନ, ନିୟମିତ ଶ୍ରେଣୀ ପରିଚାଳନା, ଶୃଙ୍ଖଳା ରକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବ୍ୟକ୍ତିତ୍ୱ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ସେ ବିଦ୍ୟାଳୟରେ ଏକ ସୁସ୍ଥ, ସୁରକ୍ଷିତ ଓ ଅନୁକୂଳ ଶିକ୍ଷା ପରିବେଶ ସୃଷ୍ଟି କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ପରିଦର୍ଶନ ସମୟରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ଅତିରିକ୍ତ ଏସ୍.ପି.ଙ୍କୁ ବିଦ୍ୟାଳୟର ଶିକ୍ଷାଗତ ଓ ପ୍ରଶାସନିକ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଇଥିଲେ। “ଟିଚ୍ କନ୍ଧମାଳ” କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ଶିକ୍ଷାର ଗୁଣବତ୍ତା ବୃଦ୍ଧି ଏବଂ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ପ୍ରଶାସନର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




