
ଦେବଗଡ:ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକାଳୀନ ଅନେକ ଡାକ୍ତରଙ୍କ ବଦଳି ଆଦେଶକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହଏହାକୁ ବିରୋଧ କରାଯାଇଛି।ଗୋଟିଏ ପଟେ ଦେବଗଡ ଜିଲ୍ଲାରେ ଡାକ୍ତର ଅଭାବ ଥିବାବେଳେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ନୂତନ ଡାକ୍ତର ନିଯୁକ୍ତି ନ ଦେଇ କାର୍ଯ୍ୟରତ ଡାକ୍ତରଙ୍କୁ ବଦଳି କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ତେବେ ଏହାକୁ ବିରୋଧ କରି ଆଜି ସ୍ଥାନୀୟ ବୁଦ୍ଧିଜୀବି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ନୂତନ ଡାକ୍ତର ନଦେବା ପର୍ଯ୍ୟନ୍ତ କୌଣସି ଡାକ୍ତରଙ୍କୁ ବଦଳି ନ କରିବା ପାଇଁ ଦାବି କରିଛନ୍ତି।ଅନ୍ୟପଟେ ସିଡିଏମଓଙ୍କୁ ମଧ୍ୟ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ଇତି ମଧ୍ୟରେ କେତେକ ଜଣ ଡାକ୍ତର ରିଲିଭ ହୋଇଥିବା ବେଳେ ଆଉ କେତେ ଜଣ ରିଲିଭ ହେବାର ଅଛି।ଯଦିଏହାର କୌଣସି ସମାଧାନ ନ କରାଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଦାବି ପତ୍ର ପ୍ରଦାନବେଳେ ଜିଲ୍ଲା କୃଷକ ସଂଘର ସଭାପତି ପ୍ରମୋଦ ଝାଙ୍କର,ସୁବାସ ଚନ୍ଦ୍ର ଭୋଇ,ଶୁକଦେବ ଭଞ୍ଜ,ରଞ୍ଜିତ ପଟେଲ, ଶରତ ମେହେର, ସମୀର ଦେହୁରୀ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲା ବିଜେଡି ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯାଇଛି।ଏନେଇ ବିଜେଡି ପକ୍ଷରୁ ମଧ୍ୟ ଏକ ଦାବି ପତ୍ର ଜିଲ୍ଲାପାଳ ଓ ସିଡିଏମଓଙ୍କୁ ପ୍ରଦାନ କରାଯାଇଛି।ଦାବି ପତ୍ର ପ୍ରଦାନବେଳେ ବିଧାୟକଙ୍କ ପ୍ରତିନିଧି ଚନ୍ଦ୍ରଶେଖର ଭୁକ୍ତା,ଜିଲ୍ଲା ବିଜେଡିର ଉପସଭାପତି ସଂଜୀବ ଶତପଥି, ଯୁବ ବିଜେଡି ସଭାପତି ପ୍ରତାପ ଦେବ,ବାରକୋଟ ବ୍ଲକ ବିଜେଡି ସଭାପତି କୃତାର୍ଥ ସାହୁ,ଲଳିତ ପାଲ, ଧିରେନ ଦେଇ,ସୁବ୍ରତ ସାହୁ ଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ।





