
ଭବାନୀପାଟଣା: ତତଲା କଡେଇରେ ଭାଜି ହେଉଛି କଳାହାଣ୍ଡି । ପୂର୍ବାହ୍ନ ୧୧ଟା ନ ହେଉଣୁ ପାରଦ ଟପୁଛି ୪୦ ଡିଗ୍ରୀ । ଭବାନୀପାଟଣା ସହର ସମେତ ସାରା ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଥିବା ବେଳେ ମେଡିକାଲ ଗୁଡ଼ିକରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆକାଶରୁ ନିଆଁ ବର୍ଷୁଛି । ସକାଳ ୧୧ଟା ବାଜିଲେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଗ୍ରୀଷ୍ମର ପ୍ରକୋପ ଏମିତି ଯେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ପୂର୍ବାହ୍ନ ୧୧ଟା ରେ ହିଁ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବାରୁ ବେଳେ ଲୋକେ ହନ୍ତସନ୍ତ ହେଉଛନ୍ତି । ଅତି ଜରୁରୀ କାମ ନଥିଲେ କେହି ବାହାରକୁ ବାହାରୁ ନଥିବା ଦେଖିବାକୁ ମିଳୁଛି। ଜରୁରୀ କାମ ପଡିଲେ ହିଁ ଲୋକେ ବାହାରକୁ ବାହରକୁ ବାହାରୁଥିବା ବେଳେ ସେମାନଙ୍କ ପାଇଁ ଏବେ ସାହା ଭରସା ଛତା, ଚଷମା ଓ ଗାମୁଛା ପାଲଟିଛି । ଗରମରୁ ରକ୍ଷା ପାଇବା ପାଇଁ ସହରର ଗଳି କନ୍ଦିରେ ଥିବା ଲସି, ଆଖୁରସ ଏବଂ ଥଣ୍ଡା ପାନୀୟ ଦୋକାନରେ ପ୍ରବଳ ଭିଡ଼ ଜମୁଛି । ସେପଟେ ବଜାରରେ ତରଭୁଜର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏହି ପ୍ରଚଣ୍ଡ ରୌଦ୍ରତାପର ସବୁଠୁ ଅଧିକ ପ୍ରଭାବ ପଢୁଛି ଛାତ୍ରଛାତ୍ରୀଙ୍କ ଉପରେ । ଦୂର ଦୁରନ୍ତରୁ ଆସୁଥିବା କଲେଜ ଛାତ୍ରମାନେ ଯାତାୟାତ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏନେଇ ଭବାନୀପାଟଣା ବାସିନ୍ଦା ସେନାପତି ନାଏକ କହିଛନ୍ତି ଯେ, “ବର୍ତମାନ ଭବାନୀପାଟଣା ସହରରେ ଯେଉଁଭଳି ଭାବରେ ଖରା ବଢ଼ିବାରେ ଲାଗିଛି ଖରାରେ ଯେଉଁ ଶ୍ରମିକ ମାନେ କାମ କରୁଛନ୍ତି ସେମାନଙ୍କୁ ଅଂଶୁଘାତ ହେବାର ସମ୍ଭାବନା ରହିଛି। ସେପଟେ ସହରରେ ଯେଉଁଭଳି ଭାବରେ ବିଦ୍ୟୁତ୍ କାଟ ହେଉଛି ଘରେ ରହି ହେଉନାହିଁ କି ବାହାରେ ରହି ହେଉ ନାହିଁ। ଯେଉଁ ଭଳି ଭାବରେ ଝାଞ୍ଜି ପବନ ହେଉଛି କେଉଁଠି ବି ରହି ହେଉ ନାହିଁ” ।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ସତେ ଯେପରି ତତଲା କଡେଇରେ ଭାଜି ହୋଇଯାଉଛି।ତାପମାତ୍ରାର ଅହେତୁକ ବୃଦ୍ଧି ସହ ବିଜୁଳି କାଟ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ସକାଳ ହେଲେ ଖରାକୁ ଲୋକଙ୍କ ଚିନ୍ତା ବଢି ଯାଉଛି । ସଂଧ୍ୟା ହେଲେ ଲୋକ ଘରୁ ବାହାରକୁ ଆସୁଛନ୍ତି । ସମ୍ଭାବ୍ୟ ଅଂଶୁଘାତକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। ସେପଟେ ଜିଲ୍ଲାରେ ଅହେତୁକ ତାପମାତ୍ରା ବୃଦ୍ଧି କୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସହ ଅଙ୍ଗନୱାଡି କେନ୍ଦ୍ରକୁ ଆସନ୍ତା ୧୮ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ। ସେପଟେ କାଳବୈଶାଖୀର ଦେଖା ନାହିଁ, ଯାହା ଫଳରେ ତାତିରୁ ତ୍ରାହି ମିଳୁନାହିଁ। ଆଗକୁ ପାରଦ ଆହୁରି ବଢ଼ିବା ସମ୍ଭାବନା ଥିବା ବେଳେ, ନିଜକୁ ସୁରକ୍ଷିତ ରଖିବା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।




