
ଦେବଗଡ଼: ଦେବଗଡ଼ର ପ୍ରସିଦ୍ଧ ଗଣେଶ ପୂଜାର ଚତୁର୍ଥ ଦିନ ଗୁରୁବାର ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ଏହାସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡିରେ ମଣ୍ଟୁ ଛୁରିଆଙ୍କ ଗୀତର ଯାଦୁ ଶ୍ରଦ୍ଧାଳୁଙ୍କୁ ବାନ୍ଧି ରଖିଥିଲେ।ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ, କୁଚିଣ୍ଡା ଏନ୍ଏସି ଅଧ୍ୟକ୍ଷ ପ୍ରଦ୍ୟୁତ ମହାନ୍ତି, କୁଚିଣ୍ଡା ବଣିକ ସଂଘର ଗଣେଶ ଅଗ୍ରୱାଲ ଓ ସମାଜସେବୀ ଅରୁଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୂଜା ମଣ୍ଡପରେ ମହାପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ପରେ କମିଟି ପକ୍ଷରୁ ମଣ୍ଡପ ଚତୁଃପାର୍ଶରେ କରାଯାଇଥିବା ପୌରାଣିକ ଏବଂ ସାମାଜିକ ଚେତନା ଭରା କଳାକୁଞ୍ଜ ବୁଲି ଦେଖିଥିଲେ। ଏଥିରେ କମିଟିର ସଭାପତି ରାଜ କିଶୋର ଦାଶ, ସଂପାଦକ ପ୍ରଦ୍ୟୁମ୍ନ ଆଚାର୍ଯ୍ୟ, ଉପଦେଷ୍ଟା ଉମାଶଙ୍କର ସାହୁ, ସାଂସ୍କୃତିକ ସଂପାଦକ ସୁଜିତ ପାତ୍ର ଉପସ୍ଥିତ ଥିଲେ। ପୂଜା ଅବସରରେ ମଣ୍ଟୁ ଛୁରିଆ ଏବଂ ତାଙ୍କର ଟିମ୍ ଦ୍ବାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାସହିତ ଦେବଗଡ଼ ଡ୍ରିମସ ଏକାଡେମୀ, ସଂକୀର୍ତ୍ତନ, ମିନାବଜାର, ଦୋଳି, ଟିକେଟ ସୋ’ ଅପେରା ସୂର୍ଯ୍ୟ ମନ୍ଦିର ଓ ଫ୍ରି ସୋ’ ଅପେରା ଶ୍ରୀବାଦଲ ର ମଜା ଉଠାଇଥିଲେ ଶ୍ରଦ୍ଧାଳୁ।କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା। ଜନ ସମାଗମ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମକୁ ଉପଭୋଗ କରିବା ନିମନ୍ତେ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।








