
ସେଣ୍ଢା-ଅନ୍ଧାରୀ ରାସ୍ତାରେ ବସିରହିଛନ୍ତି ଶତାଧିକ ଜନସାଧାରଣ
ଦେବଗଡ଼ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର କୋଇଲାଖଣିରୁ ଦେବଗଡ଼ ଜିଲ୍ଲା ଅଞ୍ଚଳର ରାସ୍ତା ଦେଇ କୋଇଲା ପରିବହନକୁ ଜୋରଦାର ବିରୋଧ କରାଯାଇଛି। ଜିଲ୍ଲାର ରିଆମାଳ ବ୍ଲକ୍ ଅନ୍ତର୍ଗତ ବୁଢ଼ାପାଳ ଓ ପରା ପଞ୍ଚାୟତର ୩ ଗ୍ରାମ ଦେଇ କୋଇଲା ପରିବହନ ପାଇଁ କମ୍ପାନି ପକ୍ଷରୁ ସ୍ଥିର ହୋଇଥିବା ବେଳେ ଏହାକୁ ଅଞ୍ଚଳରେ ଜୋରଦାର ବିରୋଧ କରାଯାଇଛି। କୋଇଲା ପରିବହନ ଗାଡ଼ିଗୁଡ଼ିକୁ ଛଡ଼ା ନ ଯିବାକୁ ଆଜି ରାତି ୧୦ଟାରେ ସେଣ୍ଢା-ଅନ୍ଧାରୀ ରାସ୍ତା ଉପରେ ଶତାଧିକ ଜନସାଧାରଣ ବିରୋଧକରି ବସି ରହିଛନ୍ତି। ଗାଁର ସଭାପତି ପବନୀ ଦେହୁରୀ, ସମ୍ପାଦକ ଦୁଷ୍ମନ୍ତ ବେହେରାଙ୍କ ନେତୃତ୍ବରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବୁଢ଼ାପାଳ ସରପଞ୍ଚ ଦିଲୀପ ଆଚାର୍ଯ୍ୟ ପହଞ୍ଚି ବସିଛନ୍ତି। ଅଭିଯୋଗ ଅନୁସାରେ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ର ନୈନି କୋଇଲାଖଣିରୁ କଣିହାଁ ବ୍ଲକ୍ସ୍ଥିତ ଡେରେଙ୍ଗ ଜିନ୍ଦଲ ପାୱାର ପ୍ଲାଣ୍ଟକୁ କୋଇଲା ପରିବହନ କରାଯିବ। କୋଇଲା ଖଣିରୁ ଡାଇଭର, କଙ୍କରୁଖୋଳ, ଚାଙ୍ଗୁଡ଼ିଆ ଗ୍ରାମର ରାସ୍ତାଦେଇ ଗଲେ ୮ କି.ମି. ହେବ। ସେହିପରି ଏକ ନୂତନ ଜଙ୍ଗଲିଆ ରାସ୍ତା ଦେଇ ଗଲେ ୫ କି.ମି. ପଡ଼ିବ। ମାତ୍ର ସେହି ଅଞ୍ଚଳର ଜନସାଧାରଣ ବିରୋଧ ପରେ କମ୍ପାନି ପକ୍ଷରୁ ରିଆମାଳ ବ୍ଲକର ବୁଢ଼ାପାଳ ପଞ୍ଚାୟତ ଅନ୍ତର୍ଗତ ସେଣ୍ଢା, ଗମ୍ଭାରିପାଳ ଗ୍ରାମ ଏବଂ ପରା ପଞ୍ଚାୟତର ଲୋହରାକୋଟ ଗ୍ରାମ ଦେଇ ଯିବାକୁ ସ୍ଥିର କରିଛନ୍ତି। ଏହି ରାସ୍ତାଟି ଅଣଓସାରିଆ ନୁହେଁ। ରାସ୍ତାର ଉଭୟ ପାର୍ଶ୍ୱରେ ଘର ରହିଥିବା ବେଳେ ଗୋରୁ ଗାଈ ମଧ୍ୟ ବନ୍ଧା ଯାଉଛି। ରାସ୍ତା ଦେଇ ଟ୍ରକ୍ଗୁଡ଼ିକ ଯାତାୟାତ କଲେ ରାସ୍ତା ବିପର୍ଯ୍ୟସ୍ତ ହେବା ସହ ଦୁର୍ଘଟଣା ଘଟିବ। କୋଇଲା ଗୁଣ୍ଡ ଉଡ଼ି ରୋଗାକ୍ରାନ୍ତ ହେବା ସହ ଚାଷଜମି ନଷ୍ଟ ହେବ। ଫଳରେ ୩ ଗ୍ରାମର ଶତାଧିକ ଜନସାଧାରଣ ଏହାକୁ ତୀବ୍ର ବିରୋଧ କରି କୋଇଲା ଗାଡ଼ିକୁ ଯିବାକୁ ନ ଦେବାକୁ ବସିଛନ୍ତି। କାହା ନିର୍ଦ୍ଦେଶରେ କମ୍ପାନି ପକ୍ଷରୁ ଏହା ସ୍ଥିର କରାଯାଇଛି ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି। ଖବର ପାଇ ପୁଲିସ ପହଞ୍ଚି ଶାନ୍ତି ଶୃଙ୍ଖଳା ରକ୍ଷା କରୁଛି।


