
ନୟାଗଡ: ରାସ୍ତା କଡରେ ଛିଡା ହୋଇଥିବା ଟ୍ରଲରକୁ ଧକ୍କା ଦେଲା ହାଇୱା । ଫଳରେ ନିୟନ୍ତ୍ରଣ ହରାଇ ଘର ଭିତରକୁ ପଶି ଆସିଲା ଟ୍ରଲର । ଆଜି ଭୋର ସମୟରେ ନୟାଗଡ ଟାଉନ୍ ଥାନା ଅନ୍ତର୍ଗତ ଘଡୁଆଳ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ହାଇୱା ଡ୍ରାଇଭର ଆହତ ହୋଇ ନୟାଗଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେପଟେ ଘର ଭିତରକୁ ଟ୍ରଲର ପଶି ଆସିଥିବାରୁ ଅନେକ କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ଘର ମାଲିକ ।
ରାତି ପ୍ରାୟ 3.30 ସମୟରେ ଘଡୁଆଳ ଅଞ୍ଚଳରେ ରହୁଥିବା ଯୁଧିଷ୍ଠିର ଖଣ୍ଡାଙ୍କ ଘର ଅଚାନକ ଜୋର ଶବ୍ଦରେ ଥରି ଉଠିଥିଲା । ବାହାରକୁ ଆସି ଦେଖିବାକୁ ପାଇଥିଲେ ଏକ ଟ୍ରଲର ତାଙ୍କ ଘର ଭିତରକୁ ପଶି ଆସିଛି । ତା ପଛକୁ ରହିଛି ଆଉ ଏକ ହାଇୱା । ଟ୍ରଲର ଧକ୍କା ଦେବା ଫଳରେ ଘର ଗେଟ୍ ଭାଙ୍ଗିବା ସହ ସଟର ମଧ୍ୟ ଭାଙ୍ଗିଛି, ଘର ଭିତରେ ଥିବା କାର ମଧ୍ୟ ଭାଙ୍ଗିଥିବା କହିଛନ୍ତି ଘରର ମାଲିକାଣି ସୁବାସିନୀ ମହାନ୍ତି ।
ଆଜି (ଶୁକ୍ରବାର) ରାତି ପ୍ରାୟ ୩.୩୦ ବେଳେ ଜାତୀୟ ରାଜପଥ ୫୭ର ରାସ୍ତା ପାର୍ଶ୍ବରେ (OR02AV9363) ନମ୍ବର ବିଶିଷ୍ଟ ଏକ ଟ୍ରଲର ଛିଡା ହୋଇଥିଲା । ଏଥିରେ ତମ୍ବା ପାଇପ ଲୋଡ଼ ହୋଇଥିବା ବେଳେ ଡ୍ରାଇଭରକୁ ନିଦ ଲାଗିବାରୁ ସେ ରାସ୍ତା କଡରେ ଗାଡିକୁ ଛିଡା କରି ଶୋଇପଡିଥିଲେ । ଏହାପରେ ଭୁବନେଶ୍ୱରରୁ ନୟାଗଡ଼ ପଟକୁ ଦ୍ରୁତ ଗତିରେ ଆସୁଥିବା ଡଟ୍ସ ବୋଝେଇ ହାଇୱା (OD 19Y4983)ଧକ୍କା ଦେଇଥିଲା ଟ୍ରଲରକୁ । ଯାହାଦ୍ବାରା ଟ୍ରଲରଟି ଘର ଭିତରକୁ ପଶି ଆସିଲା ।ଏହି ଦୁର୍ଘଟଣାରେ ହାଇୱେ ଡ୍ରାଇଭର ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ନୟାଗଡ ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଟ୍ରଲର ଓ ହାଇୱାକୁ ଜବତ କରିବା ସହ ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖିଛି । ତେବେ ଟ୍ରଲରଟି ବୌଦ୍ଧ ଅଞ୍ଚଳକୁ ଯାଉଥିବା ସୂଚନା ରହିଛି ।ଏନେଇ ଘର ମାଲିକାଣୀ ସୁବାସିନୀ ମହାନ୍ତି କହିଛନ୍ତି, ‘ରାତି ପ୍ରାୟ 3.30 ବେଳକୁ ପ୍ରଚଣ୍ଡ ଶବ୍ଦରେ ଘର ଥରି ଉଠିଥିଲା । ଉଠିକି ସମସ୍ତେ ଦେଖିଲା ବେଳକୁ ଗାଡି ଭିତରେ ପଶି ଯାଇଥିଲା । ଗ୍ରୀଲ, ସର୍ଟର, ସବୁକିଛି ଭାଙ୍ଗି ଯାଇଛି । ଏହାପରେ ଆମ୍ବୁଲାନ୍ସ ଓ ପୋଲିସକୁ ଫୋନ କରିଥିଲୁ । ପୋଲିସ ଆସିକି ଉଦ୍ଧାର କରିଥିଲା ।’


