
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହେବା ସହ ନୂତନ ଉଦ୍ୟୋଗ ପ୍ରତି ଆଗ୍ରହୀ ହେବାକୁ ଆହ୍ୱାନ କରାଯାଇଥିଲା।
ଅଧ୍ୟକ୍ଷ ଶ୍ରୀ ରଥ କହିଥିଲେ, ବର୍ତ୍ତମାନ ସମୟରେ ଦକ୍ଷତାଭିତ୍ତିକ ଶିକ୍ଷା ଓ ସ୍ୱରୋଜଗାର ମାଧ୍ୟମରେ ଯୁବପିଢ଼ି ନିଜକୁ ସ୍ୱାବଲମ୍ବୀ କରିପାରିବେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ସାରଙ୍ଗଧର ମାମ୍ବାଲାକା ସଂଯୋଜନା କରିଥିଲେ। ଏହି ଅବସରରେ ଅଧ୍ୟାପକ ବେଣୁପାଣି ମହାପାତ୍ର, ଜଗନ୍ନାଥ ଦାସ, ଡଃ ସନ୍ତୋଷ କୁମାର ନାୟକ, ଫିର୍ଦୋଷୀ ପ୍ରଧାନ ଓ ଦିବ୍ୟାଜ୍ୟୋତି ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗ ସୃଷ୍ଟି, ଆତ୍ମନିର୍ଭରଶୀଳତା ଓ ସ୍ୱରୋଜଗାରର ବିଭିନ୍ନ ସମ୍ଭାବନା ସମ୍ପର୍କରେ ସଚେତନ କରିଥିଲେ। ଶେଷରେ ଅଧ୍ୟାପକ ପ୍ରମୋଦ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




