
ଭୁବନେଶ୍ଵର : ଜୁନ ୨୧ରେ ହେବ NEET-UG ପରୀକ୍ଷା। NTA ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ସେପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରେସମିଟ୍ କରି ନିଟ୍ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଏବଂ ସାଧୁତା ବଜାୟ ରଖିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି। ସେ କହିଛନ୍ତି ଯେ, ପରୀକ୍ଷାର୍ଥୀଙ୍କ ପାଇଁ ସରକାର ସମ୍ଵେଦନଶୀଳ। ପିଲାଙ୍କ ଭବିଷ୍ୟତ ନେଇ ଆମେ ଚିନ୍ତିତ। ଅଯୋଗ୍ୟ ପାସ୍ କରନ୍ତୁ ଆମେ ଚାହୁଁନାହୁଁ। ନିଟ୍-ୟୁଜି ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ପରେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ପରୀକ୍ଷାକୁ ବାତିଲ କରିବା ସହ ଜୁନ ୨୧ ତାରିଖରେ ପୁନଃ ପରୀକ୍ଷା ପାଇଁ ଧାର୍ଯ୍ୟ କରିଛନ୍ତି। ଶିକ୍ଷା ମାଫିଆଙ୍କ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯିବ।
ସୂଚନାନୁଯାୟୀ, ଗତ ମେ’ ୩ ତାରିଖରେ NEET-UG ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମେ’ ୭ରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପାଖରେ ଏକ ଅଭିଯୋଗ ପହଞ୍ଚିଥିଲା। ଅଭିଯୋଗ ଅନୁଯାୟୀ, ବଜାରରେ ଉପଲବ୍ଧ ଏକ ‘ଗେସ୍ ପେପର’ ର ପ୍ରଶ୍ନ ସହ ମୂଳ ପ୍ରଶ୍ନପତ୍ରର ସାମଞ୍ଜସ୍ୟ ରହିଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାର ତୁରନ୍ତ ତଦନ୍ତ କରାଯାଇ ସରକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ମେ’ ୧୨ ତାରିଖ ସୁଦ୍ଧା ରାଜ୍ୟ ଏଜେନ୍ସିଗୁଡ଼ିକ ସହ ଯୋଗାଯୋଗ ପରେ ଏହା ସ୍ପଷ୍ଟ ହୋଇଥିଲା ଯେ, ‘ଗେସ୍ ପେପର’ ଆଳରେ ପ୍ରକୃତ ପ୍ରଶ୍ନପତ୍ର ହିଁ ଲିକ୍ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, “କୌଣସି ଯୋଗ୍ୟ ଓ ମେଧାବୀ ଛାତ୍ର ଶିକ୍ଷା ମାଫିଆ କିମ୍ବା ଜାଲିଆତି କରୁଥିବା ବ୍ୟକ୍ତିଙ୍କ ଷଡ଼ଯନ୍ତ୍ର ଯୋଗୁଁ ନିଜର ଅଧିକାରରୁ ଯେପରି ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଆମେ ପରୀକ୍ଷା ବାତିଲ କରିବାର କଠୋର ନିଷ୍ପତ୍ତି ନେଇଛୁ।”
ପୂର୍ବରୁ ହୋଇଥିବା ଅନିୟମିତତା ପରେ ଗଠିତ ‘ରାଧାକୃଷ୍ଣନ୍ କମିଟି’ର ପ୍ରତ୍ୟେକ ସୁପାରିଶକୁ ୨୦୨୫ ଏବଂ ୨୦୨୬ ବର୍ଷ ପାଇଁ ଅକ୍ଷରେ ଅକ୍ଷରେ ପାଳନ କରାଯାଇଥିଲା। ଏହା ସତ୍ତ୍ୱେ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବାରୁ ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ସରକାର ସମସ୍ତ ପରୀକ୍ଷାର୍ଥୀଙ୍କୁ ଧୈର୍ଯ୍ୟର ସହ ପୁନଃ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଅନୁରୋଧ କରିଛନ୍ତି। ପରୀକ୍ଷା ପରିଚାଳନାରେ ସଂପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବାକୁ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି।


