
ଭୁବନେଶ୍ୱର: ବନ୍ୟା ଓ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ୪ ଜଣ ବରିଷ୍ଠ IAS ଅଧିକାରୀ ଗସ୍ତ କରିବେ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାଇଁ ୨ ଜଣ, ଗଜପତି ଓ କନ୍ଧମାଳ ଜିଲ୍ଲା ପାଇଁ ଜଣେ ଲେଖାଏଁ IAS ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ୪ ଜଣ ଅଧିକାରୀଙ୍କୁ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) କ୍ଷମତା ପ୍ରଦାନ କରାଯିବ। ସେମାନେ ସମ୍ପୃକ୍ତ ଜିଲ୍ଲାରେ କ୍ଷୟକ୍ଷତି ଆକଳନ, ପ୍ରଭାବିତଙ୍କୁ ସହାୟତା ପ୍ୟାକେଜ୍ ପ୍ରଦାନ ଏବଂ ଭିତ୍ତିଭୂମି ମରାମତି କାର୍ଯ୍ୟର ତଦାରଖ କରିବେ। ଆବଶ୍ୟକତା ଅନୁଯାୟୀ ଦୁଇ ମାସ କିମ୍ବା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସେମାନେ ସମ୍ପୃକ୍ତ ଜିଲ୍ଲାରେ ରହିବେ।
ଅନ୍ୟପକ୍ଷରେ, ବାତ୍ୟା ‘ମୁରାସୁ’ର ଓଡ଼ିଶା ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ସିଧାସଳଖ ପ୍ରଭାବ ପଡ଼ିନାହିଁ। ରାଜ୍ୟରେ ସ୍ଥିତି ସ୍ୱାଭାବିକ ରହିଥିବାବେଳେ ଆଗାମୀ ପାଣିପାଗ ସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗଞ୍ଜାମ, ଗଜପତି, ମାଲକାନଗିରି, କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ଏପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୬୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି। ପ୍ରଭାବିତ ଅଞ୍ଚଳରେ ମୋଟ ୫୯୨ଟି ରିଲିଫ୍ ସେଣ୍ଟର କାର୍ଯ୍ୟକ୍ଷମ ରହିଛି। ବିପର୍ଯ୍ୟୟ ମୁକାବିଲା ପାଇଁ ୫୪ଟି ଓଡ୍ରାଫ୍ ଟିମ୍, ୯ଟି NDRF ଟିମ୍ ଏବଂ ୧୦୦ରୁ ଅଧିକ ଅଗ୍ନିଶମ ଟିମ୍ ନିୟୋଜିତ ଅଛନ୍ତି। ବିଭିନ୍ନ ଜିଲ୍ଲାରେ ସ୍କୁଲ୍ ଛୁଟି ରଖାଯିବା ସହ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ମୁତୟନ କରାଯାଇଛି।
ଏହାସହ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ହୋଇଥିବା କ୍ଷୟକ୍ଷତି ପାଇଁ ସରକାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ସହାୟତା ଯେପରି ଠିକ୍ ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ପଦକ୍ଷେପ ନିଆଯାଉଛି। ବିଭିନ୍ନ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଭିତ୍ତିଭୂମି ମରାମତି ଓ କ୍ଷୟକ୍ଷତି ଆକଳନକୁ ଗୁରୁତ୍ୱ ଦିଆଯାଉଛି।
ସେପଟେ କେନ୍ଦ୍ରୀୟ ଟିମ୍ କ୍ଷୟକ୍ଷତି ଆକଳନ ପାଇଁ ଗଜପତି ଜିଲ୍ଲାରେ ପହଞ୍ଚିଛନ୍ତି। ଆଜି ଗଜପତିରେ ଆକଳନ କାର୍ଯ୍ୟ ଶେଷ କରିବା ପରେ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରିବେ। ଏହାପରେ ଟିମ୍ ଭୁବନେଶ୍ୱର ଫେରିବ। କେନ୍ଦ୍ରୀୟ ଟିମ୍ର ଆକଳନ ଓ ପ୍ରାଥମିକ ରିପୋର୍ଟ ଆଧାରରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ପଠାଇବେ।




