
ଭୁବନେଶ୍ବର: ‘ଇତିହାସ ସେମାନଙ୍କୁ ମନେ ରଖେ ଓ ସମ୍ମାନ କରେ, ଯେଉଁମାନେ ଅନ୍ୟାୟ ହେଲେ ନିଜ ଲୋକ ଓ ସେମାନଙ୍କ ସମ୍ପଦ ପାଇଁ ସ୍ୱର ଉଠାନ୍ତି । ଓଡ଼ିଶା ପାଇଁ ଏହି ଐତିହାସିକ ମୁହୂର୍ତ୍ତରେ ସାଂସଦମାନେ ଦଳୀୟ ସମର୍ଥନ ଅପେକ୍ଷା ଓଡ଼ିଶାର ସ୍ୱାର୍ଥ ପାଇଁ କେଉଁ ଭୂମିକା ନେଉଛନ୍ତି, ତାହା ହିଁ ଇତିହାସ ବିଚାର କରିବ ।’ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ଆମେଣ୍ଡମେଣ୍ଟ ବିଲ୍, ୨୦୨୬କୁ ବିରୋଧୀ କରିବା ପାଇଁ ବିଜେପି ସାଂସଦ ମାନଙ୍କୁ ଏଭଳି ଚିଠି ଲେଖି ଆହ୍ୱାନ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ନିଷ୍ପତ୍ତି ସାଂସଦମାନଙ୍କ ବିବେକ ଓ ବିଚାର ଉପରେ ଛାଡ଼ିଛନ୍ତି ନବୀନ ।ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭେଲପମେଣ୍ଟ ଆଣ୍ଡ ରେଗୁଲେସନ୍) ଆମେଣ୍ଡମେଣ୍ଟ ବିଲ୍, ୨୦୨୬କୁ ନେଇ ରାଜନୈତିକ ତାତି ବଢ଼ିଛି । ଏହି ବିଲ୍କୁ ଲୋକସଭାରେ ସମର୍ଥନ କରିଥିବା ଓଡ଼ିଶାର ବିଜେପି ସାଂସଦମାନଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନିଜ ବିବେକର କଥା ଶୁଣିବା ସହ ଓଡ଼ିଶାର ସ୍ୱାର୍ଥ ପାଇଁ ଠିଆ ହେବାକୁ ଅପିଲ୍ କରିଛନ୍ତି ବିଜେଡି ସଭାପତି । ରାଜ୍ୟ ସରକାରଙ୍କ କ୍ଷମତାକୁ ହ୍ରାସ କରୁଥିବା ଏହି ସଂଶୋଧନକୁ ପ୍ରତ୍ୟାହାର କରିବା ପାଇଁ ସେ ସାଂସଦମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ଓଡ଼ିଶା ପାଇଁ ଅଗଷ୍ଟ ୧୩ କଳା ଦିନ’ । କାରଣ ଏହି ଦିନ ଓଡ଼ିଶା ବିରୋଧୀ ବିଲକୁ କେନ୍ଦ୍ର ସରକାର ପାର୍ଲିଆମେଣ୍ଟରେ ପାରିତ କରିଛନ୍ତି । ମାଇନ୍ସ ଆଣ୍ଡ ମିନେରାଲ୍ସ ଆମେଣ୍ଡମେଣ୍ଟ ବିଲ୍, ୨୦୨୬ ଓଡିଶା ବିରୋଧୀ । ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର କ୍ଷୁଣ୍ଣ ହେଉଛି । ଏହା କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି କ୍ରମରେ ନବୀନ ଆଜି ବିଜେପି ସାଂସଦଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶାର ବିଜେପି ସାଂସଦମାନଙ୍କୁ ନିଜ ବିବେକର କଥା ଶୁଣିବାକୁ ନବୀନ ଅନୁରୋଧ କରିଛନ୍ତି । ଏମଏମଡିଆର୍ ଆଇନ ସଂଶୋଧନ ପ୍ରତ୍ୟାହାର ପାଇଁ ପୁନର୍ବାର ଅପିଲ୍ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ।
ନବୀନ ଚିଠିରେ ଦର୍ଶାଇଛନ୍ତି, “ଭାରତୀୟ ସଂସଦ ହେଉଛି ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର । ସାଂସଦ ଭାବେ ଓଡ଼ିଶାର ଲୋକଙ୍କ ସ୍ୱର ଭାବେ ସେମାନେ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି । ଓଡ଼ିଶାବାସୀ ସେମାନଙ୍କୁ ନିଜ ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ପାଇଁ ଭରସା କରି ସଂସଦକୁ ପଠାଇଛନ୍ତି । ତେଣୁ ଓଡ଼ିଶାର ଲୋକଙ୍କ ଉପରେ ଦୂରଗାମୀ ପ୍ରଭାବ ପକାଇପାରୁଥିବା ଏକ ଆଇନକୁ ସେମାନେ ସମର୍ଥନ କରିଥିବା ନେଇ ନବୀନ ଉଦ୍ବେଗ ପ୍ରକାଶ କରିଛନ୍ତି ।
ଅଗଷ୍ଟ ୧୩ ତାରିଖକୁ ଓଡ଼ିଶା ପାଇଁ ଏକ ‘କଳା ଦିନ’ ଭାବେ ନବୀନ ଅଭିହିତ କରିଛନ୍ତି । ସେହି ଦିନ ଲୋକସଭାରେ ଏମଏମଡିଆର୍ ଆମେଣ୍ଡମେଣ୍ଟ ବିଲ୍, ୨୦୨୬ ପାରିତ ହୋଇଥିଲା । ମାତ୍ର ୧୦ ମିନିଟରୁ କମ ସମୟର ଆଲୋଚନା ପରେ ବିଲଟି ପାରିତ ହୋଇଛି । ଏହି ବିଲର ବ୍ୟବସ୍ଥା ଓଡ଼ିଶାର ଲୋକଙ୍କ ଉପରେ ଦୂରଗାମୀ ପ୍ରଭାବ ପକାଇବ ।
ନବୀନ ପଟ୍ଟନାୟକ ଓଡ଼ିଶାର ବିଜେପି ସାଂସଦମାନଙ୍କୁ ନିଜ ବିବେକର କଥା ଶୁଣିବାକୁ ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ କ୍ଷମତାକୁ ହଟାଇ ଦେଉଥିବା ଏମଏମଡିଆର୍ ଆଇନର ସଂଶୋଧନକୁ ପ୍ରତ୍ୟାହାର କରିବା ପାଇଁ ଆହ୍ୱାନ ଦେବାକୁ ସେ କହିଛନ୍ତି । ଇତିହାସ ସେମାନଙ୍କୁ ମନେ ରଖେ ଓ ସମ୍ମାନ କରେ, ଯେଉଁମାନେ ଅନ୍ୟାୟ ହେଲେ ନିଜ ଲୋକ ଓ ସେମାନଙ୍କ ସମ୍ପଦ ପାଇଁ ସ୍ୱର ଉଠାନ୍ତି । ଓଡ଼ିଶା ପାଇଁ ଏହି ଐତିହାସିକ ମୁହୂର୍ତ୍ତରେ ସାଂସଦମାନେ ଦଳୀୟ ସମର୍ଥନ ଅପେକ୍ଷା ଓଡ଼ିଶାର ସ୍ୱାର୍ଥ ପାଇଁ କେଉଁ ଭୂମିକା ନେଉଛନ୍ତି, ତାହା ହିଁ ଇତିହାସ ବିଚାର କରିବ । ଶେଷରେ ଏହି ନିଷ୍ପତ୍ତି ସାଂସଦମାନଙ୍କ ବିବେକ ଓ ବିଚାର ଉପରେ ଛାଡ଼ିଛନ୍ତି ନବୀନ ।



