
କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଆଉ ଠିକ୍ ଏତିକିବେଳେ ବିଡିଓ, ବିଧାୟକ, ମନ୍ତ୍ରୀ ଓ ଚାମେଲିଙ୍କ ବୟାନ ବିବାଦକୁ ଅଧିକ ଘନିଭୁତ କରିଛି । ଦୁଇ ଗୋଷ୍ଠୀ ତାଙ୍କ କାର୍ଯ୍ୟାଳୟରେ ଯୁକ୍ତିତର୍କ କରି ପରିବେଶକୁ ଖରାପ କରିଥିବା ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟ କହିଥିବା ବେଳେ, କେବଳ ଚାମେଲିଙ୍କ ନାଁରେ ଅଭିଯୋଗ କାହିଁକି କଲେ, ସେ ନେଇ ଦ୍ଵନ୍ଦ୍ବ ବଢ଼ିଛି ।
ଗତ 11 ତାରିଖରେ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟର ବିଲ୍ ନଦେବାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା । ବିଡିଓ ରବି ନାରାୟଣ ଆଚାର୍ଯ୍ୟ, ଚାମେଲିଙ୍କ ନାଁରେ ଏତଲା ଦେଇଥିଲେ। ଗତକାଲି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସମୟରେ ଚାମେଲି ଓଝା କହିଥିଲେ ଯେ, ” କଲ୍ୟାଣ ମଣ୍ଡପ ବିଲ୍ କାହିଁକି ପେଣ୍ଡିଂ ରହିଛି ବୋଲି ମୁଁ ବିଡିଓଙ୍କୁ ପଚାରିଥିଲି। ମାତ୍ର ବିଡିଓ ମହାଶୟ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ମାତ୍ର ପରେ କୁହାଯାଉଛି ଆପଣଙ୍କର ବିଲ୍ ହେଇଯାଇଛି ବ୍ୟସ୍ତ ହୁଅନ୍ତୁନି ।”
ଚାମେଲି ପ୍ରଶ୍ନ କରିଛନ୍ତି ଯେ ” ଯଦି ପ୍ରଥମରୁ କହିଦେଇଥାଆନ୍ତେ ମ୍ୟାଡମ ଆପଣଙ୍କ ବିଲ୍ କାମ ହୋଇଯାଇଛି, ତେବେ କଥା ଏତେବାଟକୁ ଯାଇ ନଥାନ୍ତା । ଝଗଡ଼ା ହେବା ଯାଏଁ ପରିସ୍ଥିତି ଗଲା କାହିଁକି ? ଯେହେତୁ ଆମେ ପ୍ରଶ୍ନ କରିବା ବେଳକୁ ବିଡିଓ ପ୍ରତିକ୍ରିୟା ନଦେଇ ଉଠି ପଳେଇଥିଲେ। ଏଥିରୁ ଆମେ ନିଶ୍ଚିତ ଯେ ସେ(ବିଡିଓ) ଫାଇଲ ସାଇନ୍ କରିନଥିଲେ। ” ପରେ ବିଲ୍ ରେ ସାଇନ କରାଯାଇଛି ବୋଲି ଚାମେଲି ଦାବି କରିଛନ୍ତି ।


