
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଆଜି 135 ତମ ଏପିସୋଡ୍ରେ ପହଞ୍ଚିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବକମାନଙ୍କ ପାଇଁ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିବା ସହିତ ଦେଶ ଦୁନିଆରେ ଘଟୁଥିବା ସାମ୍ପ୍ରତିକ ଘଟଣାବଳୀ ଉପରେ ଆଲୋକପାତ କରିଥିଲେ । ବର୍ଷ 2026ର ଅର୍ଦ୍ଧେକ ଶେଷ ହୋଇଯାଇଛି । ଏତିକି ଦିନ ମଧ୍ୟରେ ସରକାରର ସଫଳ କାର୍ଯ୍ୟକ୍ରମ ଗୁଡିକ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଏହା ସହିତ ଦେଶକୁ ଗୌରବାନ୍ବିତ କରିଥିବା ଘଟଣାବଳୀ ଉପରେ ସେ ନିଜର ଭାବନା ପ୍ରକାଶ କରିଛନ୍ତି ।
ଦେଶ ସୁରକ୍ଷା ଓ ଆତ୍ମନିର୍ଭରତା ଦିଗରେ ସଫଳତା ହାସଲ କରିଛି । “ନିକଟରେ କୋଲକତାରେ ଆୟୋଜିତ ଏକ ନୌବାହିନୀ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଥିଲା । ଯେଉଁଠାରେ INS ଦୁନାଗିରି, INS ସଂଶୋଧକ, INS ଅଗ୍ରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲା । ଏହାର ଡିଜାଇନ ଠାରୁ ଆରମ୍ଭ କରି ନିର୍ମାଣ ବିଧି ସବୁକିଛି ସ୍ବଦେଶୀ ଅଟେ,” ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଦେଶ ଜୁନ ମାସରେ ଆଭିଏସନ୍ କ୍ଷେତ୍ରରେ ବହୁ ଉନ୍ନତି ଦେଖିଛି । C-295 ଏୟାରକ୍ରାଫ୍ଟ ମେଡ୍ ଇନ୍ ଇଣ୍ଡିଆ ଅଟେ । ଏହି ବିମାନ ନିଜର ପ୍ରଥମ ଉଡାଣ ସଫଳତାର ସହିତ ଶେଷ କରିଛି । ଏବଂ ଏଭଳି 40ଟି ବିମାନ ନିର୍ମାଣ ଚାଲୁରହିଛି । ଏହା ଦ୍ବାରା MSME ଓ ଏରୋସ୍ପେଶ୍ କ୍ଷେତ୍ରରେ ବହୁ ଉନ୍ନତି ପରିଲକ୍ଷିତ ହେଉଛି । ଗୋଜଗାର ପନ୍ଥା ବଢୁଛି । ଆତ୍ମନିର୍ଭର ଭାରତର ପରିକଳ୍ପନା ସୁଦୃଢ ହେଉଛି ।
ସେ ଆହୁରି କହିଛନ୍ତି, “ଏହି ମାସରେ, DRDO ମଧ୍ୟ ଏକ ସ୍ୱଦେଶୀ ‘ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ କ୍ଷେପଣାସ୍ତ୍ର’ର ସଫଳ ପରୀକ୍ଷଣ କରିଥିଲା । ଏହାକୁ DRDO ପରୀକ୍ଷାଗାର ଏବଂ ଭାରତୀୟ ଶିଳ୍ପ ଅଂଶୀଦାରମାନଙ୍କ ଦ୍ୱାରା ମିଳିତ ଭାବରେ ବିକଶିତ କରାଯାଇଛି । ଅନ୍ୟ ଶବ୍ଦରେ, ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ, ଭାରତ ଦ୍ରୁତ ଗତିରେ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭରଶୀଳ ହେଉଛି ।”
ପ୍ରଧାନମନ୍ତ୍ରୀ କହିଥିଲେ,”ଆମକୁ ବର୍ଷାଜଳର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବାକୁ ପଡିବ । ଆମେ ‘କ୍ୟାଚ୍ ଦି ରେନ୍’ ଅଭିଯାନର ଗତିକୁ ଟିକିଏ ବି ଧୀମା ହେବାକୁ ଦେଇପାରିବୁ ନାହିଁ । ସେଥିପାଇଁ ମୁଁ ଆପଣଙ୍କୁ ଏକ ବିଶେଷ ନିବେଦନ କରୁଛି: ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ପ୍ରତ୍ୟେକ ବୁନ୍ଦା ବର୍ଷାକୁ ସଂରକ୍ଷଣ କରିବା ।”
ଦେଶରେ ଜୁନ ମାସରେ ଆନ୍ତର୍ଜାତୀୟ ଯୋଗ ଦିବସ ଆୟୋଜିତ ହୋଇଥିଲା । ଯାହାକୁ ସାରା ବିଶ୍ବରେ ଲୋକ ନିଜ ଜୀବନରେ ସାମିଲ କରିବାକୁ ପ୍ରତିବଦ୍ଧ ହୋଇଥିଲେ । ଚଳିତବର୍ଷ ଦେଶ ଓ ବିଦେଶରେ 2,500 ରୁ ଅଧିକ ସ୍ଥାନରେ ଯୋଗ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆମ ଦେଶର କୋଟି କୋଟି ଜନତା ଯୋଗ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ପ୍ରଧାନମନ୍ତ୍ରୀ ଆଗକୁ ଆସୁଥିବା ଗଣେଶ ପୂଜା ସମ୍ପର୍କରେ ନିଜର ମନ୍ତବ୍ୟ ରଖିଥିଲେ । ସେ କହିଥିଲେ, “ପୂଜାପାଠ ଶେଷ ହେବା ପରେ ଆମେ ମାଟିମୂର୍ତ୍ତିକୁ ପାଣିରେ ବିସର୍ଜନ କରୁ ଏବଂ ଏହା ପାଣିରେ ମିଶିଯାଇଥାଏ । ଫଳରେ ଆମେ ପ୍ରକୃତି ପ୍ରତି ଆମର ଆସ୍ଥା ଓ କର୍ତ୍ତବ୍ୟ ନିର୍ବାହ କରିଥାଉ । ଆଗାମୀ ଗଣେଶ ପୂଜାରେ ମୂର୍ତ୍ତି ନିକଟସ୍ଥ ସ୍ଥାନୀୟ କାରିଗରଙ୍କଠାରୁ ନିଶ୍ଚିତ କିଣନ୍ତୁ । ଏହା ଦ୍ବାରା ଆମେ ‘ଭୋକାଲ ଫର୍ ଲୋକଲ୍’ ହୋଇପାରିବା ଓ ନିଜର ଦାୟିତ୍ବ ନିର୍ବାହ କରିପାରିବା । ଏହା ସହିତ ମୂର୍ତ୍ତି ମାଟିରୁ ତିଆରି ହୋଇଥିବା ଆବଶ୍ୟକ । ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ନିର୍ମିତ ମୂର୍ତ୍ତି କିଣିବାରୁ ବର୍ତ୍ତନ୍ତୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


