
ଭୁବନେଶ୍ବର: ପୁଣି ଅଶାନ୍ତ ହୋଇଛି ଭୁବନେଶ୍ବର ମହର୍ଷି କଲେଜ । କିଛି ଅଣଛାତ୍ରଙ୍କ ସମେତ ଏକ ଛାତ୍ରଗୋଷ୍ଠୀ କଲେଜ କ୍ୟାମ୍ପସ ଭିତରେ ଥାର୍ ଗାଡି ପୁରାଇ ଆତଙ୍କରାଜ ସୃଷ୍ଟି କରିଛନ୍ତି । ଗତକାଲି (ଗୁରୁବାର) ଏହି ଘଟଣାରେ ସହିଦନଗର ଥାନା ପୋଲିସ ୩ ଛାତ୍ରଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡାରେ ରହୁଥିବା କଟକ ବକ୍ସି ବଜାର ଅଞ୍ଚଳର ଇମତ୍ୟାଜ୍ ଖାନ୍ ଓରଫ ସମୀର (୧୯), ଝାରପଡ଼ାର ସନ୍ତୋଷ ମଙ୍ଗରାଜ ଓରଫ ଶୁଭମ (୨୧) ଓ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଷୁଣିରେ ରହୁଥିବା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ଓମ୍ ପ୍ରକାଶ ସାହୁ (୧୯) । ସମୀରର ମହିନ୍ଦ୍ରା ଥାର୍ ଗାଡ଼ିକୁ ଜବତ କରାଯାଇଛି । କିଛି ପ୍ଲାଷ୍ଟିକ ପାଇପ ମଧ୍ୟ ଜବତ କରାଯାଇଛି ।
ଅଭିଯୁକ୍ତମାନେ +୩ରେ ପଢ଼ୁଥିବା ବେଳେ ସମସ୍ତଙ୍କ ନାଁରେ ପୂର୍ବରୁ ଆପରାଧିକ ମାମଲା ମଧ୍ୟ ରହିଛି । ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେହିପରି ଉକ୍ତ ଗୋଷ୍ଠୀର ୫ ଛାତ୍ରଙ୍କ ନାଁରେ ପୂର୍ବରୁ ମାମଲା ନଥିବା ବେଳେ ସମସ୍ତଙ୍କୁ ନୋଟିସ୍ରେ ଛଡ଼ାଯାଇଛି । ନୋଟିସ୍ରେ ଛଡ଼ାଯାଇଥିବା ଛାତ୍ରମାନେ ବିଜୁ ପଟ୍ଟନାୟକ କଲେଜର ବୋଲି ପୋଲିସ ସୂଚନା ମିଳିଛି । ଏହି ଘଟଣାରେ ସହିଦନଗର ଥାନା ପକ୍ଷରୁ ମାମଲା (ନଂ.୩୮୬/୨୦୨୬) ରୁଜୁ କରାଯାଇଛି ।ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ତଳେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ଏକ ଛାତ୍ର ଗୋଷ୍ଠୀ ଆତଙ୍କ ସୃଷ୍ଟି କରିବାକୁ ଯୋଜନା କରିଥିଲା । ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ୮ ଜଣ ଅଭିଯୁକ୍ତ ଛାତ୍ର ଥାର୍ ଗାଡ଼ିରେ ବିନା ଅନୁମତିରେ ମହର୍ଷି କଲେଜର ପରିସରରେ ପଶିଥିଲେ । ସେମାନେ ହୋହଲ୍ଲା କରିବା ସହ ଗାଳିଗୁଲଜ ଦେଇ ଆତଙ୍କ ସୃଷ୍ଟି କରିଥିଲେ । ପ୍ଲାଷ୍ଟିକ ପାଇପ ବୁଲାଇଥିଲେ । ଏପରିକି ନିର୍ଦ୍ଦିଷ୍ଟ କିଛି ଛାତ୍ରଙ୍କୁ ଆକ୍ଷେପ କରି ଧମକ ଦେଇଥିଲେ । ଯାହା ଫଳରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଖବର ପୋଲିସ ଟିମ୍ ପହଞ୍ଚି ଅଭିଯୁକ୍ତ ଛାତ୍ରମାନଙ୍କୁ କାବୁ କରି ଥାନାକୁ ଆଣିଥିଲା । ପୂର୍ବରୁ ମଧ୍ୟ ମହର୍ଷି କଲେଜର ଏଭଳି ଏକାଧିକ ଗଣ୍ଡଗୋଳ ଘଟିଥିବା ନଜିର ରହିଛି ।




