
ଦେବଗଡ:ଚଳିତ ବର୍ଷ ବର୍ଷା ଅଭାବ ଓ ଅଦିନିଆ ବର୍ଷା ଯୋଗୁଁ ଧାନ ଚାଷ ନଷ୍ଟ ହୋଇଥିବା ଯୋଗଁୁ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି ଲଇମୁରା ପଞ୍ଚାୟତର ଚାଷୀ। ତେବେ ଲଇମୁରା ପଞ୍ଚାୟତକୁ ମରୁଡି ଘୋଷଣା କରିବା ପାଇଁ ଉକ୍ତ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି। ଏନେଇ ଆଜି ଉକ୍ତ ଅଂଚଳର ଚାଷୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ପତ୍ର ପ୍ରଦାନବେଳେ ଜିଲ୍ଲା କୃଷକ ସଂଘର ସଭାପତି ପ୍ରମୋଦ ଝାଙ୍କର, ଜିଲ୍ଲା କୃଷକ ସଂଘର ଲଇମୁରା ସର୍କଲ ସମ୍ପାଦକ ଗଣେଶ ମହାନାୟକ,ଜିଲ୍ଲାପରିଷଦ ସଦସ୍ୟ ରାଜେଶ ମହାନାୟକ,ପୂର୍ବ ଜିଲ୍ଲା ପରିଷଦ ସଭାପତି ରଣଜିତ ପଟେଲ,ଚାଷୀ ଜନ୍ମାଜୟ ଠାକୁର, ଗଙ୍ଗାଧର ପ୍ରଧାନ,ବୈଦ୍ୟନାଥ ନାୟକ,ପବିତ୍ର ମୋହନ ନାୟକ,ଲୋକନାଥ ନାୟକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।ସୂଚନା ଅନୁଯାୟୀ, ଚଳିତ ବର୍ଷ ଧାନ ରୁଆ ସମୟରେ ବର୍ଷାକୁ ଦେଖି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବର୍ଷା ଅଭାବରୁ ଧାନ ଗଛ ଗୁଡିକ ମରି ଯାଇଥିଲା। ପରେ ଲଘୁଚାପ ଜନିତ ବର୍ଷା ଯୋଗଁୁ ଧାନ ଚାଷ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ଚାଷମାନେ ଅଭିଯୋଗ କରିଛନ୍ତି।ଚାଷ ପାଇଁ ଚାଷୀମାନେ ବ୍ୟାଙ୍କ,ସମବାୟ ବ୍ୟାଙ୍କରୁ ଋଣ ନେବା ସହ ଧାରଉଧାର କରି ଅର୍ଥ ଯୋଗାଡ଼ କରି ଚାଷରେ ଲଗାଇଥିଲେ।ପାଣିପାଗର ଅନିୟମିତତା ଯୋଗୁଁ ଧାନ ଫସଲର ବ୍ୟାପକ କ୍ଷତି ହୋଇଥିବାରୁ ଚାଷୀମାନେଏବେ ଚିନ୍ତାରେ ପଡ଼ିଛନ୍ତି।ଏଭଳି ସ୍ଥିତିରେ ଲଇମୁରା ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ସହ ଧାନ ଚାଷର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।





