ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଛାତ ଆମର ସର୍ବୋଚ୍ଚ ପ୍ରାଥମିକତା – ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ଯେତେବେଳେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ଏକ ସୁରକ୍ଷିତ ପକ୍କା ଘର ତଳେ ନିଶ୍ଚିନ୍ତରେ ରହି ପାରିବେ, ସେତେବେଳେ ଆମ ରାଜ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିବ। ଏକ ବିକଶିତ ଓଡ଼ିଶାର ଆରମ୍ଭ ଆମ ଗାଁରୁ ହୋଇଥାଏ ଏବଂ ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଖଣ୍ଡେ ଯୋଗାଇଦେବା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗୀରଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପକ୍କା ଘର କେବଳ ଇଟା, ବାଲି ଓ ସିମେଣ୍ଟରେ ତିଆରି ଏକ ଢାଞ୍ଚା ନୁହେଁ; ବରଂ କଚ୍ଚା ଘରେ ରହୁଥିବା ପରିବାର ପାଇଁ ଏହା ସମ୍ମାନର ସହ ସୁରକ୍ଷିତ ଆଶ୍ରୟ ଏବଂ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ। ବିଶେଷକରି ଦୁର୍ଗମ, ପାହାଡ଼ିଆ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳର ଲୋକଙ୍କ ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ।

୨୦୧୪-୧୫ ଆର୍ଥିକ ବର୍ଷଠାରୁ ଓଡ଼ିଶାରେ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ୪୧ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଗତ ୨ ବର୍ଷ ମଧ୍ୟରେ ୫ ଲକ୍ଷ ୬୬ ହଜାରରୁ ଅଧିକ ଘର ନିର୍ମାଣ ଶେଷ ହୋଇଛି।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ’ (PMAY-G) ଅଧୀନରେ ରାଜ୍ୟକୁ ମଞ୍ଜୁର ହୋଇଥିବା ମୋଟ ୨୮ ଲକ୍ଷ ୬ ହଜାର ଘର ମଧ୍ୟରୁ ୨୫ ଲକ୍ଷ ୫୮ ହଜାର ଘର ନିର୍ମାଣ ଶେଷ ହୋଇଛି। ଏହି ଯୋଜନାରେ ଘର ସହିତ ଶୌଚାଳୟ, ପାଇପ୍ ଯୋଗେ ପାନୀୟ ଜଳ, ରନ୍ଧନ ଗ୍ୟାସ୍ ଓ ବିଦ୍ୟୁତ୍ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଉଛି।

କେନ୍ଦ୍ର ଗ୍ରାମୀଣ ବିକାଶ ଓ କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଜୀଙ୍କୁ ଓଡ଼ିଶା ମାଟିକୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋଦୀଜୀଙ୍କ ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଯୋଗୁଁ ଗତ ୧୨ ବର୍ଷରେ ଦେଶର ପ୍ରାୟ ୫୦ କୋଟି ଲୋକ ଉତ୍କଟ ଦାରିଦ୍ର୍ୟରୁ ବାହାରି ପାରିଛନ୍ତି ବୋଲି ବିଶ୍ୱବ୍ୟାଙ୍କ ତଥ୍ୟ ପ୍ରଦାନ କରିଛି। ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନଜୀଙ୍କ ନେତୃତ୍ୱରେ କୃଷି ଓ ଗ୍ରାମୀଣ ବିକାଶ କ୍ଷେତ୍ର ଦ୍ରୁତ ଗତିରେ ଆଗେଇ ଚାଲିଛି।

ଆଜି ପ୍ରଥମ ପର୍ଯ୍ୟାୟରେ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ଓଡ଼ିଶା ପାଇଁ ନୂତନ ଆବାସ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ୨୦୨୫ ଜାନୁଆରୀରୁ ମେ’ ମଧ୍ୟରେ ହୋଇଥିବା ‘Awaas Plus 2024’ ସର୍ଭେ ସମ୍ପର୍କରେ ସୂଚନା ଦେଇଥିଲେ।

ସେ କହିଥିଲେ ଯେ କେନ୍ଦ୍ର ସରକାର ୪ ଲକ୍ଷ ଘର ପୂର୍ବରୁ ମଞ୍ଜୁର କରିଥିବା ବେଳେ ବର୍ତ୍ତମାନ ଆଉ ଏକ ଲକ୍ଷ ଘର ମଞ୍ଜୁର କରିଥିବା ଯୋଗୁ ଏହି ଯୋଜନାରେ ରାଜ୍ୟର ୫ ଲକ୍ଷ ଘର ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ ଆଉ ଏକ ଲକ୍ଷ ଘର ପାଇଁ ଅନୁରୋଧ କରିଥିଲେ।

ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଆବାସ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (PM-JANMAN) ଅଧୀନରେ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG) ପରିବାରଙ୍କ ପାଇଁ ମଞ୍ଜୁର ହୋଇଥିବା ୪୧ ହଜାର ୭୫ଟି ଘର ମଧ୍ୟରୁ ୩୫ ହଜାର ୬୩୫ଟି ଘର ସମ୍ପୂର୍ଣ୍ଣ ହୋଇଛି। ସେହିପରି ୨୦୨୫ ମାର୍ଚ୍ଚ ୩୦ ତାରିଖରେ ଆରମ୍ଭ ହୋଇଥିବା ରାଜ୍ୟର ନିଜସ୍ୱ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ, ଦିବ୍ୟାଙ୍ଗ ମୁଖ୍ୟ ରୋଜଗାରକାରୀ ଥିବା ପରିବାର, ଅସହାୟ ଓ ବିଧବା ମହିଳାଙ୍କ ପରିବାରକୁ ସାମିଲ କରାଯାଇଛି। ଏଥିରେ ମଞ୍ଜୁର ୨ ଲକ୍ଷ ୨୫ ହଜାର ଘର ମଧ୍ୟରୁ ୧ ଲକ୍ଷ ୪୭ ହଜାର ଘର ନିର୍ମାଣ ଶେଷ ହୋଇଛି। ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଏହି ଯୋଜନାର ଅବଧିକୁ ଆଉ ୨ ବର୍ଷ ବୃଦ୍ଧି କରାଯାଇ ୨୦୨୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ, ଯାହାଦ୍ୱାରା ୨ ଲକ୍ଷ ୯୧ ହଜାର ୬୬୬ ନୂଆ ଘର ନିର୍ମାଣ କରାଯାଇପାରିବ। ଏହା ବ୍ୟତୀତ ୫ ମାସ ମଧ୍ୟରେ ଘର ଶେଷ କଲେ ୩୫ ହଜାର ଟଙ୍କା ଓ ୭ ମାସ ମଧ୍ୟରେ ଶେଷ କଲେ ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି, ଯାହାଦ୍ୱାରା ଏପର୍ଯ୍ୟନ୍ତ ୧୧ ଲକ୍ଷ ୩୫ ହଜାର ହିତାଧିକାରୀ ଉପକୃତ ହୋଇଛନ୍ତି।

କେନ୍ଦ୍ର କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ କହିଥିଲେ ଯେ, ସେ ଅତିଥି ନୁହଁନ୍ତି ବରଂ ମନ୍ତ୍ରୀ ରୂପରେ ଜଣେ ସେବକ ଭାବେ ଆସିଛନ୍ତି।

ପାରମ୍ପରିକ କୃଷି ସହ ଆଧୁନିକ ଜ୍ଞାନ କୌଶଳକୁ ଆପଣାଇବାକୁ ପଡ଼ିବ ଏବଂ ଆଗାମୀ ଦିନରେ ବଲାଙ୍ଗୀରର ନୂତନ କୃଷି ବିଶ୍ୱବିଦ୍ୟାଳୟ ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜଣେ ସରଳ ଓ ନିଷ୍କପଟ ବ୍ୟକ୍ତି, ଯାହାଙ୍କ ସହ ମିଶି ବିନା କୌଣସି ତ୍ରୁଟିରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପହଞ୍ଚାଯିବ ବୋଲି ସେ କହିଥିଲେ। ହେଲିକପ୍ଟରରୁ ବଲାଙ୍ଗୀର ଘର ଛାତ ଉପରେ ସୋଲାର ପ୍ୟାନେଲ୍ ଦେଖି ସେ ଖୁସି ବ୍ୟକ୍ତ କରିବା ସହ ରାଜ୍ୟରେ ୨୯ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଓଡ଼ିଶାର ପ୍ରତି ଗାଁକୁ ପକ୍କା ସଡ଼କ ଦ୍ୱାରା ଯୋଡ଼ାଯିବ । ପୂର୍ବରୁ ୪ ଲକ୍ଷ ଘର ମଞ୍ଜୁର ହୋଇଥିବା ବେଳେ ଆଜି ଅଧିକ ୧ ଲକ୍ଷ ଘର ମଞ୍ଜୁର କରାଯାଉଛି ଏବଂ ଭବିଷ୍ୟତରେ ଆହୁରି ଅଧିକ ଘର ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଘୋଷଣା କରିଥିଲେ ଯେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଯେଉଁ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛନ୍ତି, ଓଡ଼ିଶାରେ ତାହା ବଲାଙ୍ଗୀର ମାଟିରୁ ତାହା ଆରମ୍ଭ କରାଯିବ ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କୃଷି ପର୍ଯ୍ୟଟନ (Agri-tourism) ଏବଂ ଉନ୍ନତ ବିଦ୍ୟୁତ୍ ଉତ୍ପାଦନ ପାଇଁ କୃଷି କ୍ଷେତ୍ରରେ ଆଗ୍ରୋ ପ୍ୟାନେଲ୍ ସ୍ଥାପନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ‘ପିଏମ୍ ସୂର୍ଯ୍ୟଘର ଯୋଜନା’କୁ ଯୋଡ଼ାଯିବ ଏବଂ ଘରର ଛାତ ଉପରେ ସୋଲାର ପ୍ୟାନେଲ୍ ସ୍ଥାପନ ସୁନିଶ୍ଚିତ କରାଯିବ।

ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ କହିଛନ୍ତି ଯେ, ଘର କାହା ପାଇଁ ଏକ ସ୍ୱପ୍ନ ତ କାହା ପାଇଁ ଏକ ପରିଚୟ ଓ ଠିକଣା, ଏବଂ ଏକ ପରିବାର ପାଇଁ ଏହା ସୁରକ୍ଷା କବଚ; ତେଣୁ ପ୍ରତ୍ୟେକ ସାମାଜିକ ପ୍ରାଣୀ ପାଇଁ ଘର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଘର ନିର୍ମାଣ ଶେଷ କରୁଥିବା ହିତାଧିକାରୀମାନଙ୍କୁ ଆମ ସରକାର ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ଯେକୌଣସି ମୂଲ୍ୟରେ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ଧ୍ୟାନ ଦେଉଛନ୍ତି। ଏହା ସହିତ ପ୍ରତ୍ୟେକ ପଞ୍ଚାୟତରେ କଲ୍ୟାଣ ମଣ୍ଡପ, ଖେଳପଡ଼ିଆ ଏବଂ ପୋଖରୀ ନିର୍ମାଣ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଘର କେବଳ ଏକ ବାସସ୍ଥାନ ନୁହେଁ, ଏହା ଜଣେ ମହିଳାଙ୍କ ପାଇଁ ସମ୍ମାନ ଏବଂ ଏକ ପରିବାର ପାଇଁ ସୁରକ୍ଷାର ପ୍ରତୀକ। ଆମ ସରକାର କେବଳ ଘର ଯୋଗାଇ ଦେଉନାହାନ୍ତି, ବରଂ ପ୍ରତ୍ୟେକ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଏବଂ ସଡ଼କ ସଂଯୋଗୀକରଣର ସୁବିଧା ମଧ୍ୟ ସୁନିଶ୍ଚିତ କରୁଛନ୍ତି। ବଲାଙ୍ଗୀର ମେଡିକାଲ କଲେଜରେ ଅଧିକ ସଂଖ୍ୟକ ପିଜି ସିଟ୍ ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ବଲାଙ୍ଗୀର ଏକ ପ୍ରମୁଖ ମେଡିକାଲ ହବ୍‌ରେ ପରିଣତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ମା’ ପାଟଣେଶ୍ୱରୀଙ୍କ ପୀଠରେ ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ପ୍ରାୟ ୯୧୧ କୋଟି ଟଙ୍କାର ୨୪୮ଟି ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଯେଉଁଥିରେ ପ୍ରାୟ ୧୭୬ କୋଟି ଟଙ୍କାର ୧୬୦ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଏବଂ ୭୩୫ କୋଟି ଟଙ୍କା ମୂଲ୍ୟର ୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅନ୍ତର୍ଭୁକ୍ତ। ସ୍ୱାସ୍ଥ୍ୟ ଭିତ୍ତିଭୂମି, ଜଳଯୋଗାଣ, ଜଳସେଚନ ପ୍ରକଳ୍ପ, ଅଙ୍ଗନବାଡ଼ି କେନ୍ଦ୍ର, ଅତିରିକ୍ତ ଶ୍ରେଣୀଗୃହ, ସଡ଼କ ଉନ୍ନତିକରଣ ଓ ହଷ୍ଟେଲ୍ ଆଦି ଏହି ପ୍ରକଳ୍ପଗୁଡ଼ିକ ବଲାଙ୍ଗୀରର ବିକାଶ ଯାତ୍ରାରେ ନୂଆ ଫର୍ଦ୍ଦ ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା ସିଂହଦେଓ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ୍, ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ କୁମାର ଜୈନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିସନର ତଥା ଶାସନ ସଚିବ ଶ୍ରୀମତୀ ରୂପା ମିଶ୍ର ଏବଂ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇଶଲ୍‌ୱର ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ରେଡିମେଡ ଗାର୍ମେଣ୍ଟ ୟୁନିଟ କରି ସମସ୍ତଙ୍କ ପାଇଁ ଜଣେ ସଫଳ ମହିଳା ଉଦ୍ୟୋଗୀ ସାଜିଛନ୍ତି ଆକସ୍ମିତା

    ଦେବଗଡ:ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକର କଳାମାଟି ଗ୍ରାମରେ ଏକ ରେଡିମେଡ ଗାର୍ମେଣ୍ଟ ୟୁନିଟ ପ୍ରତିଷ୍ଠା କରି ଆଜିର ଦିନରେ ଜଣେ ସଫଳ ଉଦ୍ୟୋଗୀ ହେବା ସହ ଆଖପାଖର ଲୋକମାନଙ୍କୁ ରୋଜଗାର ଯୋଗାଇ ପାରିଛନ୍ତି ମହିଳା ଉଦ୍ୟୋଗୀ ଆକସ୍ମିତା ନନ୍ଦ।ସୂଚନା ଅନୁଯାୟୀ, ଦେବଗଡ…

    Continue reading
    ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପ୍ରତିଯୋଗିତା

    ଦେବଗଡ:ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା କ୍ରୀଡ଼ା ଅଧିକାରୀ କଳିଙ୍ଗ ଆଶିଷ ଶତପଥିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ମୁଖ୍ୟଅତିଥି, ଜିଲ୍ଲାପରିଷଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !