
ଭୁବନେଶ୍ୱର: ରାଜଧାନୀରେ ଆୟୋଜିତ ସମ୍ବିଧାନ ବଞ୍ଚାୟ ମହାସମାବେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୋଗଦେଇ ନିଜର ଉଦବୋଧନ ରଖିଛନ୍ତି । ପ୍ରଥମେ କଂଗ୍ରେସ କର୍ମକର୍ତ୍ତାଙ୍କ ମୁଡ କେମିତି ଅଛି ବୋଲି ରାହୁଲ ପଚାରିଥିଲେ । କଂଗ୍ରେସ କର୍ମକର୍ତ୍ତାଙ୍କୁ ପ୍ରଶଂସା ବି କଲେ ।
ଆଉ ତା’ପରେ ସିଧା ସିଧା ବିଜେପି ସରକାର ଉପରେ ଆକ୍ରମଣ କରିଥିଲେ । ଆଉ କହିଥିଲେ ସରକାର ଗରିବଙ୍କୁ ଲୁଟୁଛନ୍ତି । ଏହାଛଡ଼ା ସେ କହିଥିଲେ ଯେ ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି । ବିହାରରେ ନିର୍ବାଚନ ଚୋରି ପାଇଁ ଉଦ୍ୟମ ହେଉଛି । ମହାରାଷ୍ଟ୍ରରେ ନୂଆ ୧ ଲକ୍ଷ ଭୋଟର କିପରି ଆସିଲେ । ମହାରାଷ୍ଟ୍ର ଭଳି ବିହାରରେ ବି ନିର୍ବାଚନ ଚୋରି ପାଇଁ ଉଦ୍ୟମ ଚାଲିଛି । ଜଳ, ଜଙ୍ଗଲ ଓ ଜମି ଆଦିବାସୀଙ୍କର ଅଛି ଓ ରହିବ । ଏଠାରେ ବିନା ପଚାରି ଆଦିବାସୀଙ୍କୁ ସେମାନଙ୍କ ଜମିରୁ ହଟାଯାଉଛି । ବିକାଶ ଓଡ଼ିଶାର ଜନତାଙ୍କ ପାଇଁ କରିବା ଉଚିତ । ପେଶା ଆଇନ ଲାଗୁ ହେଉନି, କିନ୍ତୁ ଆମେ ଏହାକୁ ଲାଗୁ କରିବୁ । ଏଠାରେ ରାଜ୍ୟ ସରକାର ଜଙ୍ଗଲ, ଜମିରୁ ଆପଣଙ୍କୁ ହଟାଉଛି । ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହୋଇ ରହିବ । କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୋଦୀ ଫସଲ ବୀମା ଯୋଜନା ଲାଗୁ କରିଥିଲେ । ଏଥିପାଇଁ ମୋଦୀ ଆପଣଙ୍କ ଠାରୁ ଟଙ୍କା ନେଲେ କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି ।




